ଆନ୍ତର୍ଜାତିକ ଶ୍ରମିକ ଦିବସ

କଟକ, (ଓ୍ବାଇଏନଏସ):  ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦ୍ଵାରା ଜିଲ୍ଲାସ୍ତରୀୟ  ଆନ୍ତର୍ଜାତିକ ଶ୍ରମିକ ଦିବସ ଆଜି ସ୍ଥାନୀୟ ଶହୀଦ ଭବନ ଠାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ର ଗଠନ ଓ ନିର୍ମାଣ କ୍ଷେତ୍ରରେ ଶ୍ରମିକ ଭାଇ ଭଉଣୀ ମାନଙ୍କର ଅବଦାନକୁ ସମ୍ମାନ ଜଣାଇ ଥିଲେ । ଏଥି ସହ ଶ୍ରମିକ ଦିବସ ର ତାତ୍ପର୍ଯ୍ୟ ଓ ଶ୍ରମିକ ମାନଙ୍କ ବିହିତ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ସରକାରଙ୍କ ଦ୍ଵାରା ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ । ଶ୍ରମିକ ଭାଇ ଭଉଣୀ ମାନଙ୍କର ସୁରକ୍ଷା ଏବଂ ଏଥି ସମ୍ବନ୍ଧୀୟ ସରକାରଙ୍କ ନିୟମାବଳୀ ସମ୍ପର୍କରେ ମଧ୍ୟ  ସେ ଆଲୋଚନା କରିଥିଲେ । କଟକ ଜିଲ୍ଲାରେ ନିର୍ମାଣ ଶ୍ରମିକମାନଙ୍କୁ ସବୁ କ୍ଷେତ୍ରରେ ଅଧିକ ସହାୟତା ରାଶି ପ୍ରଦାନ କରାଯାଇ ଆସୁଛି ବୋଲି ସୂଚନା ଦେବା ସହ ଅଧିକରୁ ଅଧିକ କିପରି କୁଶଳୀ ଶ୍ରମିକ ସୃଷ୍ଟି  କରାଯାଇପାରିବ ସେ ଦିଗରେ ଗୁରୁତ୍ଵାରୋପ କରିଥିଲେ ।  ରାଜ୍ୟ ସରକାର ଙ୍କ ବିକଶିତ ଓଡିଶା ଗଠନ ପ୍ରକ୍ରିୟା ରେ *ଶ୍ରମିକ ମାନେ ହେଉଛନ୍ତି ଆଧୁନିକ ଯୁଗର ବିଶ୍ୱକର୍ମା* ବୋଲି ସେ ମତ ପ୍ରକାଶ କହିଥିଲେ । ଆଜିର ଆୟୋଜିତ ଶ୍ରମିକ ଦିବସ ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅନ୍ତର୍ଗତ ଯଥା  ସ୍ୱାଭାବିକ ମୃତ୍ୟୁ କାଳୀନ ସହାୟତା ରାଶି ୩ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୪ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣା  ଜନିତ ମୃତ୍ୟୁ ନିମନ୍ତେ ସହାୟତା ରାଶି ୪ ଲକ୍ଷ ଟଙ୍କାରୁ  ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରା ଯାଇଥିବା ସମ୍ପର୍କରେ ଉପସ୍ଥିତ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଅବଗତ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ୩୨୧୫ ଜଣ ହିତାଧିକାରୀ ଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା ଏବଂ ନୂତନଭାବେ ପଞ୍ଜୀକୃତ ହୋଇଥିବା ୨୦୦ ଜଣ  ଶ୍ରମିକ ଙ୍କୁ  ଶ୍ରମିକ କାର୍ଡ ପ୍ରଦାନ କରାଯାଇଥିଲା । ମୃତ୍ୟୁ କାଳୀନ ସହାୟତା ରାଶି ୭ କୋଟି ୭୪ ଲକ୍ଷ , ଅନ୍ତେଷ୍ଟି କ୍ରିୟା  ନିମନ୍ତେ ୧୩ ଲକ୍ଷ ୬୦ ହଜାର, ପ୍ରସୂତି କାଳୀନ ସହାୟତା ୯ ଲକ୍ଷ ୨୦ ହଜାର,ବିବାହ ନିମନ୍ତେ ୯ କୋଟି ୫୧ ଲକ୍ଷ, ଶିକ୍ଷାଗତ ସହାୟତା ୮୩ ଲକ୍ଷ ୯୭ ହଜାର ୪୦୦ ଟଙ୍କା ସମୁଦାୟ ଟ/୧୮କୋଟି ୩୧ଲକ୍ଷ ୭୭ ହଜାର ୪୦୦- ଙ୍କାର ସହାୟତା ରାଶି ମୁଖ୍ୟ ଅତିଥି ମାନ୍ୟବର ବିଧାୟକଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀମତୀ କଳ୍ପନା ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।  ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ହରପ୍ରିୟା ନାୟକ ବାର୍ଷିକ ବିବରଣୀ ପାଠ କରି ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରୀତିବନ୍ଧନ ଘଡାଇ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ। ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ମୋନାଲିସା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ କାର୍ଯ୍ଯକ୍ରମରେ ବହୁ ସଂଖ୍ୟାରେ ଶ୍ରମିକ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ