ଯୁଗ୍ମ ଜନ ଅଭିଯୋଗ ଶୁଣାଣି

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲାର ବାଙ୍କୀ ବ୍ଲକ୍‌ଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ବିିଭିନ୍ନ ସ୍ଥାନରୁ ଆସିଥିବା ଲୋକେ ନିଜର ଅସୁବିଧା ଓ ଦାବିଗୁଡିକ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଆଜି ସମୁଦାୟ ୩୯ ଟି ଅଭିଯୋଗ ହସ୍ତଗତ ହୋଇଥିଲା । ତନ୍ମଧ୍ୟରେ ୨୯ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୦ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଅଭିଯୋଗ ଶୁଣାଣି ଶିବିରରେ ୪ଟି ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଅନ୍ୟାନ୍ୟ ଅଭିଯୋଗଗୁଡିକ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଏହି ଅଭିଯୋଗ ଶୁଣାଣିରେ ଗ୍ରାମାଂଚଳ ଏସପି ଶ୍ରୀ ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ୍ ଦାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଉପଜିଲ୍ଳାପାଳ ଶ୍ରୀମତୀ ମନସ୍ୱିନୀ ଦାସ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶିବିରରେ ପାନୀୟ ଜଳ, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପ୍ରାଣୀ ସମ୍ପଦ ଆଦି ସମ୍ପର୍କିତ ବିଭିନ୍ନ ପଞ୍ଜିକୃତ ଅଭିଯୋଗର ସମ୍ପର୍କରେ ଶୁଣାଣି ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉପସ୍ଥିତ ବିଭିନ୍ନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜିଲ୍ଲାର ବିଭିନ୍ନ ପଂଚାୟତ କାର୍ଯ୍ୟାଳୟଗୁଡିକରେ ମଧ୍ୟ ଆଜି ଅଭିଯୋଗ ଶୁଣାଣି କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଆସନ୍ତା ୧୧ ତାରିଖରେ ସାଲେପୁର ବ୍ଲକ୍ କାର୍ଯ୍ୟାଳୟଠାରେ ଜିଲ୍ଳାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିବାବେଳେ ବିଭିନ୍ନ ପଂଚାୟତ କାର୍ଯ୍ୟାଳୟଗୁଡିକରେ ମଧ୍ୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଏହି ଅଭିଯୋଗ ଶୁଣାଣି ସକାଳ ୭ ଘଟିକାଠାରୁ ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ