କାଳବୈଶାଖି ପ୍ରଭାବ: ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ
ହିଞ୍ଜିଳିକାଟୁ(ଶେଷଦେବ ସାହୁ): ସୋମବାର ଅପରାହ୍ନରେ ହିଞ୍ଜିଳିକାଟୁ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଥିଲା ଏଥିସହିତ ଆକାଶରେ ବିଜୁଳି ଓ ଘଡଘଡି ଚମକିଥିଲା। କାଳବୈଶାଖୀ ପ୍ରଭାବରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ସହରର ବିଭିନ୍ନ ସାହି ଓ ଛକ ରାସ୍ତା ପ୍ବାର୍ଶରେ ଥିବା ବଡ ବଡ ଗଛ ଗୁଡିକ ରାସ୍ତା ପ୍ବାର୍ଶରେ ଲୋଟି ପଡିଥିଲା। ଫଳରେ କିଛି ସମୟ ପାଇଁ ୫୯ ନଂ ଜାତୀୟ ରାଜପଥ ଅବରୋଧ ହେବା ସହ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଉପରେ ଗଛ ପଡିବାରୁ ବିଦ୍ୟୁତ୍ ତାର ଛିଣ୍ଡି ପଡିଥିବା ଦେଖିବାକୁ ମିଳିଛି। ଫଳରେ ଦୀର୍ଘ ସମୟ ଧରି ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ପ୍ରକାଶ ଥାଉକି, ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ସକାଳ ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗୁଳୁଗୁଳି ଅନୁଭୁତ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। ଗତ କିଛି ଦିନ ଧରି ଲଗାତାର ଭାବେ ଅପରାହ୍ନ ଓ ସନ୍ଧ୍ୟା ସମୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ କ୍ଷିପ୍ର ଗତିରେ ପବନ ବୋହିବା ଯୋଗୁଁ ବଡ ବଡ ଗଛ ଗୁଡ଼ିକ ମାଟି ଉପରେ ଲୋଟି ପଡୁଥିବା ଦେଖିବାକୁ ମିଳୁଛି। ବହୁ ସମୟରେ ବିଦ୍ୟୁତ୍ ତାର ଛିଣ୍ଡି ପଡିଥିବା ବେଳେ ଦୀର୍ଘ ସମୟଧରି ବିଦ୍ୟୁତ୍ ସେବା ବିଛିନ୍ନ ହୋଇପଡୁଛି। କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ଯୋଗୁଁ ତାପମାତ୍ରା ହ୍ରାସ ପାଇବା ସହ ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି। ଅନ୍ୟପକ୍ଷରେ ବିଦ୍ୟୁତ୍ ସେବା ବିଛିନ୍ନ ହେବା ଯୋଗୁଁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ଅନ୍ଧକାରର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତି ମାନଙ୍କ ଉପଦ୍ରବ ବୃଦ୍ଧି ପାଉଛି।


