ନେକ୍ସଟ୍ ଲେଭଲ୍ ଡ୍ୟାନ୍ସ ଷ୍ଟୁଡିଓର ଡ୍ୟାନ୍ସ କା ଜଲୱା ସିଜନ୍ ୫
ବ୍ରହ୍ମପୁର,(ସୁଦିପ କୁମାର ସାହୁ):ନେକ୍ସଟ୍ ଲେଭଲ୍ ଡ୍ୟାନ୍ସ ଷ୍ଟୁଡିଓ ଆନୁକୂଲ୍ୟରେ ଏକ ଭବ୍ୟ ନୃତ୍ୟ ପ୍ରତିଯୋଗିତା “ଡ୍ୟାନ୍ସ କା ଜଲୱା ସି ଜନ୍ ୫” ସଫଳତାର ସହ ଗଞ୍ଜାମ କଳା ପରିଷଦ ଠାରେ ଆୟୋଜିତ ହୋଇଯାଇଛି। ନୃତ୍ୟ ପ୍ରତିଷ୍ଠାନର ମୁଖ୍ୟ ନୃତ୍ୟ ଗୁରୁ ତଥା ଆୟୋଜକ ସୁଶାନ୍ତ ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଶିଶୁ, କିଶୋର ଏବଂ ମାଆ ମାନଙ୍କ ଦ୍ୱାରା ଅତି ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।
ପ୍ରଥମେ ସବ୍-ଜୁନିଅର ଏବଂ ଜୁନିଅର ବର୍ଗର ପିଲାମାନଙ୍କୁ ନେଇ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ସଙ୍ଗୀତା ପାଣିଗ୍ରାହୀ ଏହି ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାର ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ ।ଏନ୍. ସନ୍ତୋଷ କୁମାର ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପରିଚାଳନାରେ ସଞ୍ଜୀବ କୁମାର ପଟ୍ଟନାୟକ, ଚନ୍ଦ୍ର ସାର୍ ଏବଂ ଜିତ୍ ସାର୍ ପ୍ରମୁଖ ସହଯୋଗ କରିଥିଲେ। ସନ୍ଧ୍ୟାରେ ଆଧୁନିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତିଯୋଗୀମାନେ ୱାଣ୍ଡର କିଡ୍ସ, ସବ୍-ଜୁନିଅର, ଜୁନିଅର, ଗ୍ରୁପ୍, ସୁପର୍ ମମ୍ ଏବଂ ସୁପର୍ ମମ୍ ଗ୍ରୁପ୍ ଭଳି ବିଭିନ୍ନ ବର୍ଗରେ ନିଜ ନିଜର ନୃତ୍ଯ ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟର ବିଚାର କାର୍ଯ୍ୟ ପୂର୍ଣ୍ଣ , ତରୁଣ ଏବଂ ସମୀର କରିଥିବା ବେଳେ, ତରଙ୍ଗ ଚ୍ୟାନେଲର ଲୋକପ୍ରିୟ ରିଆଲିଟି ସୋ ‘ନାଚ୍ ଓଡ଼ିଶା’ର ମେଣ୍ଟର ରୋନକ ମହାନ୍ତି ଚୂଡ଼ାନ୍ତ ପର୍ଯ୍ୟାୟର ମୁଖ୍ୟ ବିଚାରକ ଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାକ୍ତର ବିପ୍ର ଚରଣ ଭୂୟାଁ ଏବଂ ତାଙ୍କ ଧର୍ମପତ୍ନୀ ପ୍ରତିଭା ଭୂୟାଁ ଯୋଗ ଦେଇ ଶିଶୁ ପ୍ରତିଭାମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ।ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ରଶ୍ମି ଏଣ୍ଟରପ୍ରାଇଜେସରୁ ରାଜା ସେନାପତି, ରୁବେନ ଚାରିଟେବୁଲ ଟ୍ରଷ୍ଟରୁ ରଞ୍ଜନ , ଅନ୍ୱେଷା କଳା କେନ୍ଦ୍ରର ନିର୍ଦ୍ଦେଶିକା ଉଷାରାଣୀ ମହାପାତ୍ର, ସହରତଳି ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ଊର୍ଜା ଏକାଡେମୀର ନିର୍ଦ୍ଦେଶକ ଏନ୍. ସନ୍ତୋଷ କୁମାର ରେଡ୍ଡୀ, ୟୁଟିଭି ଓ ଅନୁପମ ଭାରତର ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ଏବଂ ପ୍ରତିଷ୍ଠିତ ଶିକ୍ଷାବିତ୍ ବିଜୟା ଲକ୍ଷ୍ମୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଗୌରବ ବଢ଼ାଇଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ଏକାଡେମୀର ସମସ୍ତ କର୍ମକର୍ତ୍ତା ଏବଂ ଅଭିଭାବକ ମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ କାହ୍ନୁ ରାଉତ ଅତି ଚମତ୍କାର ଭାବେ ମଞ୍ଚ ସଂଯୋଜନା କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ଉପସ୍ଥିତ ସମସ୍ତ ଅତିଥି, ପ୍ରତିଯୋଗୀ, ଅଭିଭାବକ ଓ କର୍ମକର୍ତ୍ତାମାନଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରି ଏହି ସଫଳ ସାଂସ୍କୃତିକ ସନ୍ଧ୍ୟାର ସମାପ୍ତି ଘୋଷଣା କରିଥିଲେ।


