ଲିନ ହେବାକୁ ବସିଛି କାନପୁର ଗ୍ରାମ, ବାରମ୍ବାର ଦାବି ସତ୍ତ୍ୱେ ହେଉନି ସୁରକ୍ଷା ବ୍ୟବସ୍ଥା
ହାଟଡିହି (ଓ୍ବାଇଏନଏସ): ସାଳନ୍ଦୀ ନଦୀ ତାର ଗତିପଥ ବଦଳାଇ ଗାଁ ପାଖକୁ ମାଡି ମାଡ଼ି ଆସୁଥିବାରୁ ଗ୍ରାମରେ ବର୍ଷାଜଳ ନିଷ୍କାସନର ସୁ ବ୍ୟବସ୍ଥା ହେଉ ନଥିବାରୁ ନଦୀରେ ଲିନ ହେବାକୁ ବସିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତର କାନପୁର ଗ୍ରାମ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏନେଇ ଗତ ୧୦ବର୍ଷ ହେଲା ବାରମ୍ବାର ଦାବି ସତ୍ତ୍ୱେ ମଧ୍ଯ ଜଳ ସମ୍ପଦ ବିଭାଗ କୌଣସି ପଦକ୍ଷେପ ନେଉନି। ପୁର୍ବରୁ ନଦୀର ଜଳସ୍ରୋତ ନଦୀ ମଝିରେ ଯାଉଥିବା ବେଳେ ୧୯୯୯ ମସିହା ମହାବାତ୍ୟା ପରଠାରୁ ଏହାର ଗତିପଥ ପରିବର୍ତନ ହୋଇଛି। କାନପୁର ଗାଁ ପାଖଦେଇ ଜଳସ୍ରୋତ ପ୍ରବାହିତ ହେଉଥିବାରୁ ଏହା ଗାଁ ପାଇଁ ବିପଦ ସୃଷ୍ଟି କରିଛି। ପ୍ରତି ବର୍ଷ ୨/୩ ଫୁଟ କୁଳ ଖାଉଥିବା ବେଳେ ଭୂସ୍ଖଳନ ଘଟି ଅନେକ କ୍ଷୟ କ୍ଷତି ହେଉଛି। ଗତ ୨୦୧୪/୧୫ରୁ ଏହି ଭୁସ୍ଖଳନ ଆରମ୍ଭ ହୋଇ ଅନେକ ଲୋକଙ୍କ ଘର ଭାଙ୍ଗି ପଡିଥିବା ବେଳେ ଅନେକ ଲୋକଙ୍କ ଘରବାଡ଼ିରୁ ଗଛ ସବୁ ଉପୁଡ଼ି ମାଟି ସବୁ ନଦୀ ମଧ୍ୟକୁ ଖସି ପଡ଼ିଛି। ଅନେକ ଲୋକଙ୍କ ପକ୍କା ଘରରେ ମଧ୍ଯ ଫାଟ ସୃଷ୍ଟି ହୋଇଛି। ଏପରି ଘଟଣା ଘଟିବା ପରେ ତତ୍କାଳୀନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଗାଁ କୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ପ୍ରତିକାର ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନି। ପ୍ରତିବର୍ଷ ଗାଁର କିଛି କିଛି ଅଂଶ ନଦୀରେ ମିଶୁଛି। ଗତକାଲି ରାତିରେ ଗ୍ରାମର ପ୍ରହ୍ଲାଦ ବେହେରାଙ୍କ ଆବାସ ଯୋଜନା ରେ କରିଥିବା ପକ୍କା ଘରଟି ଭୁଶୁଡି ପଡିଛି। ସେ ଓ ତାଙ୍କ ପତ୍ନୀ ଅନିମା ବେହେରା ଘରେ ରୋଷେଇ କରୁଥିବା ବେଳେ ହଠାତ କଟ କଟ ଶବ୍ଦ ହେବାରୁ ଉଭୟ ଘରୁ ବାହାରକୁ ଚାଲିଆସିଥିଲେ। ତା ପରେ ପରେ ଘରର ପକ୍କା ଚଟାଣ ଟି ୨/୩ ଫୁଟ ତଳକୁ ଭୁଶୁଡି ଯାଇଥିଲା। ଏପରିକି ଘରର ଗ୍ରେଟ ଵିମ ସହିତ ୨/୩ ଫୁଟ ତଳକୁ ଧସି ଯାଇ ବିପଦ ସଂକୁଳ ହୋଇ ପଡିଥିବାରୁ ପ୍ରହ୍ଲାଦଙ୍କ ପରିବାର ଲୋକେ ସେ ଘର ଭିତରକୁ ଯିବାକୁ ଭୟ କରୁଛନ୍ତି। ଖବର ପାଇ ସୋସୋ ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ପୂର୍ବରୁ ଗାଁର ହରିହର ବେହେରା, ବିଶ୍ଵନାଥ ବେହେରା, ପଦ୍ମନାଭ ବେହେରା, କହ୍ନେଇ ଚରଣ ଜେନା, ସୁଦାମ ଜେନା, ଶଶଧର ବେହେରା, ସର୍ବେଶ୍ଵର ବେହେରା, ଅମୂଲ୍ୟ ଜେନା, ନରହରି ଖମାରୀ, ନରେନ୍ଦ୍ର ସେଣ, ଉପେନ୍ଦ୍ର ସେଣ , ଜୟୀରାମ ସେଣ, ପ୍ରସାନ୍ତ ସେଣ, ରାମ ସେଣ, ଭାସ୍କର ସେଣ, ବାବାଜୀ ବେହେରା, ଜଗବନ୍ଧୁ ଜେନା ପ୍ରମୁଖ ଅନେକ ଲୋକଙ୍କ କ୍ଷୟ କ୍ଷତି ହୋଇଛି। କାହାର ପାଇଖାନା ନଦୀ ଗର୍ଭକୁ ଯାଇଛି ତ କାହାର ଗୁହାଳ ଘର ମାଟିରେ ମିଶିଛି। ଆଉ କାହାର କୋଠା ଘରେ ବିରାଟ ବିରାଟ ଫାଟ ସୃଷ୍ଟି ହୋଇଛି। ଅନେକ ଲୋକଙ୍କ ବାଡ଼ିରେ ଥିବା ବିରାଟ ବିରାଟ ଗଛ ସବୁ ନଦୀ ଗର୍ଭକୁ ଚାଲି ଯାଇଛି। ଗ୍ରାମବାସୀ ଙ୍କ ଅଭିଯୋଗ ଯେ ଯେଉଁ ସମୟରେ ଲଗାଣ ବର୍ଷା ହେଉଛି ସେ ସମୟରେ ଏପରି ଘଟୁଛି। ଗାଁରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷାଜଳ ମାଟି ତଳେ ତଳେ ନଦୀକୁ ଯିବାବେଳେ ତଳ ମାଟିକୁ ନଦୀ ଗର୍ଭକୁ ଧୋଇନେଉ ଯାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ଅନୁଧ୍ୟାନ କରାଯାଇ ଗାଁ କୁ ରକ୍ଷା କରିବା ପାଇଁ ନଦୀ କଡେ କଡେ କଂକ୍ରିଟ ବନ୍ଧ ନିର୍ମାଣ କରିବା ସହିତ ଗାଁ ଭିତରେ ବର୍ଷାଜଳ ନିଷ୍କାସନ ପାଇଁ ସୁବ୍ୟବସ୍ଥା କରିବାକୁ ବୃନ୍ଦାବନ ବେହେରା, ସନାତନ ମହାପାତ୍ର, ଶତ୍ରୁଘ୍ନ ରାଉତ, ନିୟତି ରାଉତ, ଚୈତନ ମହାପାତ୍ର, ଅକ୍ଷୟ ବେହେରା, ମୁକ୍ତିକାନ୍ତ ରାଉତ, କହ୍ନେଇ ଜେନା, ବିଜୟ ସାମଲ, ଭରତ ରାଉତ, ରବୀନ୍ଦ୍ର ରାଉତ, ଅକ୍ଷୟ ବାରିକ, ଗୌରାଙ୍ଗ ବାରିକ, ଜଗନ୍ନାଥ ମହାରଣା, ଶରତ ରାଉତ, ସୀତା ମହାରଣା ପ୍ରମୁଖ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଅଳ୍ପ ଦିନ ଭିତରେ ଗାଁର ନଦୀ କୂଳେ କୁକେ ଥିବା ଘର ଗୁଡିକ ସାଳନ୍ଦୀ ନଦୀରେ ଲୀନ ହେବାର ଆଶଙ୍କା ରହିଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି।


