କାରଗିଲ୍ ବିଜୟ ଦିବସ ପାଳିତ

ଆସିକା  (ୱାଇଏନ୍‍ଏସ୍‍):  ସାରା ଦେଶରେ ପାଳିତ ହୋଇଯାଇଛି ୨୭ତମ କାରଗିଲ୍ ବିଜୟ ଦିବସ। ସାରା ଦେଶ ମନେ ପକାଇଛି ଭାରତୀୟ ସେନାଙ୍କ ବିଜୟର ଗାଥା। ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନ ସେନା ଉପରେ ଆକ୍ରମଣ କରି ବିଜୟ ଲାଭ କରି କାରଗିଲ୍‌ରେ ତ୍ରିରଙ୍ଗା ଉଡାଇଥିଲା ଭାରତୀୟ ସେନା। କାରଗିଲ୍‍ ଯୁଦ୍ଧରେ ଭାରତୀୟ ସେନାର ୫୨୭ଜଣ ବୀର ସୈନିକଙ୍କୁ ବଳିଦାନ ଦେବାକୁ ପଡିଥିଲା। ୧୯୯୯ ମସିହା ଜୁଲାଇ ମାସ ୨୬ତାରିଖରେ ଭାରତ ମାଟିରୁ ପାକିସ୍ତାନ ସେନାକୁ ହଟାଇ ବିଜୟ ଧ୍ୱଜା ଉଡାଇଥିଲା ଭାରତୀୟ ସେନା। ଏହି ଐତିହାସିକ ବିଜୟ ହାସଲ କରିବା ସ୍ମୃତିରେ ସାରା ଦେଶରେ ଆଜି ପାଳିତ ହୋଇଯାଇଛି କାରଗିଲ୍ ବିଜୟ ଦିବସ। ଦେଶ ମାତୃକାର ରକ୍ଷାଲାଗି କାର୍‌ଗିଲ୍ ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ସହିଦ୍ ହୋଇଥିବା ଆସିକାର ବୀର ଯବାନ ଉମାକାନ୍ତ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆସିକା ସହରର କେତେକ ସଚେତନ ନାଗରିକ ପକ୍ଷରୁ ସ୍ଥାନୀୟ ୧୭ନମ୍ବର ୱାର୍ଡ ସ୍ଥିତ ତାଲୁକାଛକ ନିକଟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆସିକା ପୌର ପରିଷଦର କାଉନସିଲର୍‍ ବନ୍ଦିତା ପ୍ରଧାନ, ପୂର୍ବତନ କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ, ସମାଜସେବୀ ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଦେବାଶିଷ୍‍ ପଣ୍ଡା, ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ସହିଦ୍ ବୀର ଯବାନ ଉମାକାନ୍ତଙ୍କ ସ୍ମୃତି ସ୍ତମ୍ଭ ନିକଟରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଯୋଗଦେଇ କାରଗିଲ୍‍ ଯୁଦ୍ଧରେ ସହିଦ୍ ହୋଇଥିବା ଯବାନ୍‌ମାନଙ୍କ ସାହସିକତା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଆସିକାର ସହିଦ୍ ବୀର ଯବାନ ଉମାକାନ୍ତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ସହିଦ୍ ବୀର ଯବାନ ମାନଙ୍କ ତ୍ୟାଗ ଓ ସମର୍ପଣ ମନୋଭାବ ଉପରେ ଆଲୋକପାତ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଚେତନ ନାଗରିକ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ