ଅହମଦିୟା ମୁସଲିମ ସମ୍ପ୍ରଦାୟରେ ଖିଲାଫତ ଦିବସ ପାଳିତ
ଭୁବନେଶ୍ୱର(ଓ୍ବାଇଏନଏସ): ୟୁନିଟ -୪ ସ୍ଥିତ ମସଜିଦ ହମଦ ଠାରେ ଅହମଦିୟା ମୁସଲିମ ସଂପ୍ରଦାୟ ଭୁବନେଶ୍ୱର ପକ୍ଷରୁ ୧୧୮ତମ ଖିଲାଫତ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ନମାଜ ତହଜୁଦ ପାଠରୁ କରାଯାଇଥିଲା। ପରେ ଫଜର ନମାଜ ପାଠ ଓ ସାମୂହିକ କୋରାନ ଆବୃତ୍ତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ନମାଜ ମଗରିବ ଓ ଇଶା ପରେ ଭୁବନେଶ୍ୱର ଅହମଦିୟା ମୁସଲିମ ସଂପ୍ରଦାୟ ସଚିବ ଶେଖ୍ ଅବଦୁଲ ହକିମ ସାହିବଙ୍କ ସଭାପତିତ୍ବରେ ଧର୍ମସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭ ପବିତ୍ର କୋରାନ ପାଠ ଆବୃତ୍ତିରୁ କରାଯଇଥିଲା । ତତପରେ କବିତା ଆବୃତ୍ତି ଓ ଏହି ଅବସର ଉପଲକ୍ଷେ ବିଭିନ୍ନ ଭାଷଣ ଉପସ୍ଥାପିତ କରାଯାଇଥିଲା । ମୁଖ୍ୟ କ୍ତାଭାବେ ଯୋଗଦେଇ ଅହମଦିୟା ମୁସଲିମ ସଂପ୍ରଦାୟ ଭୁବନେଶ୍ୱର ମୁଖ୍ୟ ପ୍ରଚାରକ ହଲିମ ଖାନ ନିଜ ଭାଷଣରେ କହିଲେ, “ଖିଲାଫତର ଅର୍ଥ ହେଲା କୌଣସି ଅବତାର ବା ଯୁଗସଂସ୍କାରକ ଅଥବା ନବି, ରସୁଲଙ୍କ ମରଣାନ୍ତେ ତାଙ୍କ କାର୍ଯ୍ୟକୁ ଐଶୀ ଆଦେଶାନୁଯାୟୀ ଆଗକୁ ବଢ଼ାଇବା। ଯେପରି ପୈଗମ୍ବର ହଜରତ ମୁହମ୍ମଦଙ୍କ ପରେ ଇସଲାମ ଇତିହାସରେ ହଜରତ ଅବୁବକର ସିଦ୍ଦିକ୍, ହଜରତ ଉମର ଫାରୁକ୍, ହଜରତ ଉସ୍ମାନ ଗନି ଏବଂ ହଜରତ ଅଲ୍ଲି ଇସ୍ଲାମୀୟ ଖିଲାଫତର କାର୍ଯ୍ୟଭାରକୁ ତୁଲାଇଥିଲେ । ଖଲିଫା ପଦବୀ ପାଇଁ କେବଳ ଈଶ୍ୱର ହିଁ ଜଣେ ଏକେଶ୍ଵର ବିଶ୍ଵାସୀ, ସତ୍ୟନିଷ୍ଠ ଓ ଧର୍ମପରାୟଣ ବ୍ୟକ୍ତିକୁ ଚୟନ କରିଥାନ୍ତି । ଇସଲାମୀୟ ଖିଲାଫତ ବ୍ୟବସ୍ଥାର ପରିସମାପ୍ତି ପରେ ପୈଗମ୍ବର ହଜରତ ମୁହମ୍ମଦଙ୍କ ଭବିଷ୍ୟତବାଣୀ ଅନୁଯାୟୀ ୧୪୦୦ ବର୍ଷ ପରେ ଅହମଦିୟା ମୁସଲିମ ସମାଜରେ ଖିଲାଫତର ସୁବ୍ୟବସ୍ଥା ଯୁଗସଂସ୍କାରକ ହଜରତ ମିର୍ଜା ଗୁଲାମ ଅହମଦଙ୍କ ବିୟୋଗ ପରେ ୨୭ ମଇ ୧୯୦୮ ମସିହାରେ ଅହମଦୀୟା ଖିଲାଫତର ସୂତ୍ରପାତ ହୋଇଥିଲା। ବର୍ତ୍ତମାନ ଏହି ସଂସ୍ଥାର ପଞ୍ଚମ ଖାଲିଫା ହଜରତ ମିର୍ଜା ମସରୁର ଅହମଦଙ୍କ ତତ୍ୱାବଧାନରେ ଅହମଦିୟା ଜମାତ ବିଶ୍ୱର ୨୧୨ ରୁ ଊର୍ଦ୍ଧ୍ବ ଦେଶରେ ବିଶ୍ୱ ଶାନ୍ତି ଓ ଭାଇଚାରା ସ୍ଥାପନ ଓ ମାନବ ସେବା କ୍ଷେତ୍ରରେ ନିରନ୍ତର କାମ କରିଆସୁଛି । ଆଜି ସମ୍ପୂର୍ଣ୍ଣ ବିଶ୍ଵ ତୃତୀୟ ବିଶ୍ଵ ଯୁଦ୍ଧ ଆଡ଼କୁ ଆଗେଇ ଚାଲିଛି ଏବଂ ବିଶ୍ଵରେ ଶାନ୍ତି ବିପଦରେ ପଡ଼ିଯାଇ ଅଛି । ଏହି ସମୟରେ ବିଶ୍ବବ୍ୟାପୀ ଅହମଦିୟା ମୁସଲିମ ସମ୍ପ୍ରଦାୟର ପ୍ରମୁଖ ହଜରତ ମିର୍ଜା ମସରୁର ଅହମଦ ବିଶ୍ୱକୁ ଶାନ୍ତି ଏବଂ ସମୃଦ୍ଧି ନିମନ୍ତେ ଡାକି କୁହନ୍ତି ଯେ ଶାନ୍ତି ସେ ପର୍ଯ୍ୟନ୍ତ ସ୍ଥାପିତ ହୋଇ ପାରିବ ନାହିଁ ଯେପର୍ଯ୍ୟନ୍ତ ଲୋକ ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ନ ହୋଇଛି ଏବଂ ପ୍ରକୃତ ଭାଇଚାରା ଏକ ଈଶ୍ୱରକୁ ସ୍ୱୀକାର କରିବା ବିନା ପ୍ରାପ୍ତି ହୋଇ ପାରେ ନାହିଁ। ଏହି କାର୍ଯ୍ୟକ୍ରମକୁ ଯୁବ ସଂଗଠନ ଅହମଦିୟା ମୁସଲିମ ସମ୍ପ୍ରଦାୟ ଭୁବନେଶ୍ୱରର ସଭାପତି ପରଭେଜ୍ ଅହମଦ, ନିଜାମୁଦ୍ଦିନ ଖାନ, ଶମିମ ଅହମଦ , ସମିର ଅହମଦ, ତାହିର ଅହମଦ ଖାନ , ଶେଖ ରହମାନ , ଜାହିଦୂର୍ ରହମାନ ଏବଂ ଯୁବସଂଗଠନର ଅନେକ କର୍ମକର୍ତ୍ତାମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଶେଷରେ ବିଶ୍ବଶାନ୍ତି ପାଇଁ ସାମୂହିକ ନୀରବ ପ୍ରାର୍ଥନା କରାଯାଇଥିଲା ।


