‘ଲକ୍ଷପତି ଦିଦି’ କର୍ମଶାଳା ଓ ‘ସୁଭଦ୍ରା ଶକ୍ତି’ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ରିକାପଲ୍ଲୀସ୍ଥିତ କଲ୍ୟାଣ ମଣ୍ଡପଠାରେ ବ୍ଲକସ୍ତରୀୟ ତିନିଦିନିଆ ‘ଲକ୍ଷପତି ଦିଦି’ କର୍ମଶାଳା ଓ ‘ସୁଭଦ୍ରା ଶକ୍ତି’ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ପ୍ରଣମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ନାୟକ ‘ସୁଭଦ୍ରା’ ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ଖାଦ୍ୟ ପରିଦର୍ଶନ କରିବା ସହ ସେମାନଙ୍କ ଦକ୍ଷତା, ସୃଜନଶୀଳତା ଓ ଅକ୍ଳାନ୍ତ ପରିଶ୍ରମକୁ ପ୍ରଶଂସା କରି ସମ୍ମାନ ଜଣାଇଥିଲେ। ମହିଳାମାନଙ୍କ ଦକ୍ଷତା ଓ ଉଦ୍ୟମିତାକୁ ସୁଯୋଗ ଦେଇ ସେମାନଙ୍କୁ ଆତ୍ମନିର୍ଭରତାର ପଥରେ ଆଗେଇ ନେବା ହିଁ ‘ଲକ୍ଷପତି ଦିଦି’ ଯୋଜନାର ମୁଖ୍ୟ ସଂକଳ୍ପ ବୋଲି ବିଧାୟକ କହିଥିଲେ। ସମସ୍ତ ମହିଳାଙ୍କ ସଫଳତା ହିଁ ସଶକ୍ତ ଓ ସମୃଦ୍ଧ ଓଡ଼ିଶାର ଶକ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜୀତ ସାହୁ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜୟକୃଷ୍ଣ ମହାପାତ୍ର, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ରଥ, ଟାଙ୍ଗଣାପଲ୍ଲୀ ସରପଞ୍ଚ ବି. ସୁଦାମ, ବିପୁଲିଙ୍ଗି ସରପଞ୍ଚ ହିନା ସେଠୀ, ଛତ୍ରପୁର ପୌରପରିଷଦର କାଉନସିଲର ଦେବାଶିଷ ମିଶ୍ର, ସୁମନ୍ତ ନାହାକ ଓ ଏମ. ଅରୁନ୍ଧତୀ ରେଡ୍ଡୀ, ଓଡ଼ିଶା ଜୀବିକା ମିଶନ ଛତ୍ରପୁରର ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ଏବଂ ମିଶନ ଶକ୍ତିର ଛତ୍ରପୁର ବ୍ଲକ ସଂଯୋଜିକା ସୀତା ବରାଳଙ୍କ ସମେତ ବହୁ ସଂଖ୍ୟକ ‘ସୁଭଦ୍ରା’ ମା’ ଉପସ୍ଥିତ ଥିଲେ। ବିପିସି ସୀତା ବରାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କର୍ମଶାଳା ଓ ଖାଦ୍ୟ ପ୍ରତିଯୋଗିତା ମାଧ୍ୟମରେ ମହିଳାମାନଙ୍କ ଦକ୍ଷତା ପ୍ରଦର୍ଶନ ସହ ଉଦ୍ୟମିତା ଓ ଆତ୍ମନିର୍ଭରଶୀଳତାକୁ ଗୁରୁତ୍ୱ ଦିଆଯାଇଥିଲା।


