ବାରବାଟୀ ଫୁଡ୍ କୋର୍ଟ ଦୋକାନ ଘର ପାଇଁ ଆବେଦନର ଶେଷ ତାରିଖ ୨୪ ଏପ୍ରିଲ୍
କଟକ (ଓ୍ବାଇଏନଏସ): କଟକ ମହାନଗର ନିଗମ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍ ନିକଟରେ ବାରବାଟୀ ଫୁଡ୍ କୋର୍ଟର ସ୍ଥାପନା କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ଏହି ଫୁଡ୍ କୋର୍ଟରେ ୨ଟି କ୍ୟାଟେଗୋରୀରେ ୩୮ଟି ଦୋକାନ ଘର ଆବଣ୍ଟନ ପାଇଁ ସିଏମସି ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଆସନ୍ତା ଏପ୍ରିଲ ୨୪ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଏଥିପାଇଁ ଆଗ୍ରହୀ ବ୍ୟବସାୟୀ କିମ୍ବା ସଂସ୍ଥା ଆବେଦନ କରିପାରିବେ। ବାରବାଟୀ ଫୁଡ୍ କୋର୍ଟ ପରିସରରେ କ୍ୟାଟେଗୋରୀ ଏ’ରେ ୨ଟି ବଡ଼ ଦୋକାନ ଘର ରହିଛି। ଏଥିରେ ଫ୍ରି ଫାବ୍ ସହ ଟେରାସ୍ ରହିଛି। ୫୧୬ ସ୍କୋୟାରଫୁଟର ଏହି ସ୍ଥାନର ଭଡ଼ା ମାସିକ ୨୬ ହଜାର ୪୦୦ ଟଙ୍କା ରଖାଯାଇଛି। ବଡ଼ ଦୋକାନ ପାଇଁ କିଛି ସର୍ତ୍ତ ମଧ୍ୟ ରହିଛି। କ୍ବିକ୍ ସର୍ଭିସରେ ୭ ବର୍ଷର ଅଭିଜ୍ଞତା ସହିତ ଗତ ୩ ବର୍ଷରେ ଆୟକର ଦାଖଲ ଏବଂ ବାର୍ଷିକ ୧୨ ଲକ୍ଷ ଟଙ୍କାର କାରବାରର ରେକର୍ଡ ଥିବା ଆଗ୍ରହୀ ବ୍ୟକ୍ତି କିମ୍ବା ସଂସ୍ଥା ଏଥିପାଇଁ ଆବେଦନ କରିପାରିବେ। ଏହାସହ ସେମାନେ ଆଧାର କାର୍ଡ, ପାନ୍ କାର୍ଡ ଏବଂ ଜିଏସଟିର ବୈଧ ନମ୍ବର ସହିତ ଫୁଡ୍ ଲାଇସେନ୍ସ ଏବଂ ଟ୍ରେଡ୍ ଲାଇସେନ୍ସ ରଖିଥିବା ଆବଶ୍ୟକ। ଏହାସହ ଆଉ ୩୬ଟି ଦୋକାନ ଘର ମଧ୍ୟ ଏହି ଫୁଡ କୋର୍ଟ ପରିସରରେ ରହିଛି ଯାହା କଂକ୍ରିଟ ଷ୍ଟକଚରରେ ତିଆରି। ଏସବୁର ମଧ୍ୟ ଆବଣ୍ଟନ କରାଯିବ। ଜଣେ ବ୍ୟକ୍ତି ବା ସଂସ୍ଥା କେବଳ ଗୋଟିଏ ଦୋକାନ ଘର ପାଇଁ ଆବେଦନ କରିପାରିବେ। ଏକାଧିକ ଦୋକାନ ଘର ପାଇଁ ଆବେଦନ କରିଥିଲେ ମଧ୍ୟ ସେ ଯୋଗ୍ୟ ହୋଇଥିଲେ ଗୋଟିଏ ହିଁ ଘର ପ୍ରଦାନ କରାଯିବ। ଏ ସବୁ ଦୋକାନ ଘରର ମାସିକ ଭଡ଼ା ୬ ହଜାର ୬ ଶହ ଟଙ୍କା ରଖାଯାଇଛି। ସିଏମସି ପକ୍ଷରୁ ୩ ବର୍ଷିଆ ଲାଇସେନ୍ସ ଆକାରରେ ଏସବୁ ଦୋକାନ ଘର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତି କିମ୍ବା ସଂସ୍ଥା ସିଏମସି ଓ୍ବେବ୍ ସାଇଟ୍ https://cmccuttack.odisha.gov. in କୁ ଯାଇ ଆବେଦନ ଫର୍ମ ଓ ଅନ୍ୟାନ୍ୟା ସବିଶେଷ ବିବରଣୀ ପାଇପାରିବେ। ଏହାକୁ ସ୍ପିଡ ପୋଷ୍ଟ, ରେଜିଷ୍ଟର ପୋଷ୍ଟ, ଇଣ୍ଡିଆ ପୋଷ୍ଟ କିମ୍ବା କୋରିଅରରେ କଟକ ମହାନଗର ନିଗମର ଆୟୁକ୍ତଙ୍କ ଚୌଧୁରୀ ବଜାର ସ୍ଥିତ, ବିଜୁ ଭବନ କାର୍ଯ୍ୟାଳୟକୁ ପଠାଇପାରିବେ।


