ବାଲେଶ୍ଵରରେ ‘ମୁଖ୍ୟମନ୍ତ୍ରୀ କପ୍-୨.୦’ର ଭବ୍ୟ ଶୁଭାରମ୍ଭ

ବାଲେଶ୍ଵର, (ସରୋଜ ପଣ୍ଡା):ସ୍ଥାନୀୟ ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ବାଲେଶ୍ଵରଠାରେ ‘ମୁଖ୍ୟମନ୍ତ୍ରୀ କପ୍-୨.୦’ (C.M. Trophy 2.0) ର ବରିଷ୍ଠ କ୍ରୀଡ଼ା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ବାଲେଶ୍ଵର ଜିଲ୍ଲା କ୍ରୀଡ଼ା ସଂଘର ସହଯୋଗରେ ଆୟୋଜିତ ଏହି କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ୩୦ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ, ରେମୁଣା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ କ୍ରୀଡ଼ା ଜ୍ୟୋତି ପ୍ରଜ୍ଜ୍ୱଳନ ପୂର୍ବକ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବାଲେଶ୍ଵର  ମାନ୍ୟବର ବିଧାୟକ,ସଦର ଶ୍ରୀ ମାନସ କୁମାର ଦତ୍ତ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ବାଲେଶ୍ଵର ଜିଲ୍ଲା କ୍ରୀଡ଼ା ସଂଘର ସହ-ସାଧାରଣ ସମ୍ପାଦକ ପ୍ରଦୀପ ଲେଙ୍କା, ଉପ-ସଭାପତି ଜଗଦୀଶ ବେହେରା, ଜନ୍ମେଜୟ ଦେ, ବୀରେନ୍ଦ୍ର ସ୍ୱାଇଁ ଏବଂ ଓଡ଼ିଶା ଖୋ-ଖୋ ଆସୋସିଏସନର ସହ-ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରାଙ୍କ ସମେତ ଅନେକ ବରିଷ୍ଠ କ୍ରୀଡ଼ାବିତ ଓ ଅଧିକାରୀ ଉପସ୍ଥିତ ଥିଲେ। ଏହି ଖେଳ ଏପ୍ରିଲ ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏହି ଟ୍ରଫିରେ ମୁଖ୍ୟତଃ ଚାରୋଟି ବିଭାଗରେ  ଯଥା ଖୋ-ଖୋ,ଭଲିବଲ୍,କବାଡି ଏବଂ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜିଲ୍ଲାରେ ଥିବା କ୍ରୀଡ଼ା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ଗ୍ରାମାଞ୍ଚଳର ଖେଳାଳିମାନଙ୍କୁ ଏକ ବଡ଼ ପ୍ଲାଟଫର୍ମ ଦେବା ଉଦ୍ଦେଶ୍ୟରେ ଏହି କ୍ରୀଡ଼ା ମହୋତ୍ସବର ଆୟୋଜନ କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ