ଅଣଅନୁଦାନ ଓ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର
କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । କେନ୍ଦୁଝର ସର୍କିଟ ହାଉସ ପରିସରରେ ଅନୁଷ୍ଠିତ ଅଭିଯୋଗ ଶୁଣାଣୀ ବେଳେ ଏହି ଦାବୀପତ୍ର ପ୍ରଦାନ କରାଯାଇଛି । ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ଓ ତୃତୀୟ ପଦରେ କାମ କରୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ଆଣ୍ଟିଂଡେଟିଂ ପାଇବା ସମ୍ବନ୍ଧରେ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକ ୦୧/୦୧/୨୦୦୪ ଠାରୁ ବ୍ଲକଗ୍ରାଣ୍ଟ ପାଇ ଆସୁଥିବାବେଳେ ଦ୍ୱିତୀୟ ଓ ତୃତୀୟ ପଦରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚାରଙ୍କ ଗ୍ରାଣ୍ଟ ଇନ ଏଡ୍ ତା ୦୧/୦୪/୨୦୦୮ ଠାରୁ ଲାଗୁ କରାଯାଇଛି । ତାଙ୍କର ଚାକିରୀକୁ ପୁନଃବିଚାର କରି ୦୧/୦୧/୨୦୦୪ ଠାରୁ ଲାଗୁ କରିବାକୁ ସଂଘ ଦାବୀ କରିଛି । ସରକାରଙ୍କ ତାଙ୍କ ଦାବୀ ପୂରଣ କଲେ ତାଙ୍କର ଚାକିରିର ବରିଷ୍ଠତା ବଢିବା ସଙ୍ଗେ ସଙ୍ଗେ ନୋସନାଲ ଇନକ୍ରିମେଣ୍ଟ ଏବଂ ବିଭିନ୍ନ ସୁବିଧା ପାଇପାରିବେ । ସଂଘର ହୃଷିକେଶ ମହାନ୍ତ,ରବିନ୍ଦ୍ରନାଥ ମହାନ୍ତ,ମଦନ ମୋହନ ମହାନ୍ତ,ନଟବର ମହାନ୍ତ,ନକୁଳ ଚରଣ ମହାନ୍ତ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ସେହିପରି ଓଷ୍ଟା ସଂଘ ସଭାପତି ମନ୍ମଥ ନାଥ ମହାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଶେଷ କରି ୧୯୪ ଟି ଉଚ୍ଚ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ,ଚାକିରୀ ସର୍ତ୍ତାବଳୀ,ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ପେନସନରେ ଅନ୍ତର୍ଭୁକ୍ତ କରିବା,ଶିକ୍ଷକଙ୍କ ଦାବୀ ପୂରଣ ପାଇଁ ଗଠନ କରାଯାଇଥିବା କମିଟି ଦ୍ୱାରା ଶୀଘ୍ର ସମାଧାନ କରିବା ପାଇଁ ଦାବୀ ଜଣାଇଥିଲେ ।


