ଅନ୍ଧାରରେ ଗୁଣପୁର ସହରର ଲାଇଫ ଲାଇନ ରାସ୍ତା

ଗୁଣୁପୁର,(ୱାଇଏନଏସ): ବିଦ୍ୟୁତ ଖୁଣ୍ଟ ପୋତା ଯାଇଛି ତାର ବି ଟଣା ଯାଇଛି ହେଲେ ବିଦ୍ୟୁତ ସଂଯୋଗ ହୋଇ ପାରୁ ନାହି କି ଆଲୁଅ ଜଳୁନାହିଁ। ଫଳରେ କିଟି କିଟି ଅନ୍ଧାରରେ ଗୁଣପୁର ସହରର ବାଇ ପାସ ରାସ୍ତା । ମୁଖ୍ୟ ରାସ୍ତାରେ ଅନ୍ଧାର ରାଜ କରୁଥିବାରୁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକେ ଖଣ୍ଡିଆ ଖାଵରା ହେଉଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କୁ ନାହି ନଥିବା ଅସୁବିଧାର ସମୁଖୀନ ହେବାକୁ ପଡୁଛି । ଦେଖିବା ଗୁଣପୁରରୁ ଏହି ରିପୋର୍ଟ । ରାୟଗଡା ଜିଲ୍ଲାର ଦ୍ବିତୀୟ ବୃହତମ ବାଣିଜ୍ୟ ସହର ଗୁଣପୁର । ଶିଳ୍ପ ବିହୀନ ଗୁଣପୁର ସହରର ଆୟତନ ସହ ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜନସଂଖ୍ୟାକୁ ତାଳ ଦେଇ ଟ୍ରାଫିକ ସମସ୍ୟା ଓ ଯାନ ବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଗୁଣପୁର ସହରର ଲାଇଫ ଲାଇନ କୁହାଯାଉଥିବା ବାଇପାସ ରାସ୍ତାରେ ଲୋକଙ୍କ ସହ ଯାନବାହାନଙ୍କ ଭିଡ ଜମୁଛି । ପଡୋଶୀ ଆନ୍ଧ୍ର ପ୍ରଦେଶ ,ଜିଲ୍ଲା ସଦର ମହକୁମା ଓ ଉପଖଣ୍ଡର ୫ ଗୋଟି ବ୍ଲକ ଲୋକ ଏହି ମୁଖ୍ୟ ରାସ୍ତା ଉପରେ ନିର୍ଭର କରନ୍ତି । ଏହାକୁ ଦୃଷ୍ଟିରେ ରଖି ସହରର ବାଇପାସ ଛକ ଠାରୁ ପୁରୁଣା ଗୁଣପୁର ଦେଇ ବିକ୍ରମପୁର ଛକ ଯାଏ ୩. ୮ କିଲୋମିଟର ରାସ୍ତାକୁ ୪ ଥାକିଆ ରାସ୍ତାରେ ରେ ପରିଣତ କରିବା ପାଇଁ ପୁର୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିଲା । ୨୦୨୩ ମସିହାରେ ଆନ୍ଧ୍ର ପ୍ରଦେଶର ଏକ ଠିକା ସଂସ୍ଥା ମାଷ୍ଟର ଡ୍ରେନ ସହ ରାସ୍ତା ନିର୍ମାଣ କରିବା ପାଇଁ ୧୧ କୋଟି ୮୧ ଲକ୍ଷ ୯୬ ହଜାର ଟଙ୍କାରେ ପୁର୍ତ ବିଭାଗ ସହ ଚୁକ୍ତି ସ୍ବାକ୍ଷର କରିଥିଲା । ତେବେ ଏହି ମୁଖ୍ୟ ରାସ୍ତାର ନିର୍ମାଣ କାମ ୯୦ % ସରିଛି, ଲୋକଙ୍କୁ ସାମାନ୍ୟ ଆଶସ୍ତି ମିଳିଛି। ଅପର ପକ୍ଷରେ ପ୍ରଶାସନ ଅଧିକାରୀ ମାନଙ୍କର ଉଦାସୀନତା ଯୋଗୁଁ ରାସ୍ତାର ଦୁଇ ପାର୍ଶ୍ଵ ଜବର ଦଖଲରୁ ମୁକ୍ତି ମିଳିପାରିନାହିଁ। ଆଲୋକ ବ୍ୟବସ୍ଥା ନଥିବାରୁ ସଞ୍ଜ ହେଲେ ସମଗ୍ର ବାଇପାସ ଅନ୍ଧାର ହୋଇ ଯାଉଛି । ରାସ୍ତାରେ ଯିବା ଆସିବା କରୁଥିବା ଯାନବାହନ ଓ ଦୋକାନ ବଜାରର ଲାଇଟ ଭରସାରେ ଲୋକେ ଯାତାୟାତ କରୁଛନ୍ତି । ସେଞ୍ଚୁରୀ ଏଲ . ଇ . ଡ଼ି ନାମକ ଏକ ଠିକା ସଂସ୍ଥା ୩ ମାସ ପୂର୍ବେ ବାଇ ପାସ ଛକ ଠାରୁ ବିକ୍ରମପୁର ଛକ ଯାଏ ବିଦ୍ୟୁତ ଖୁଣ୍ଟ ପୋତିବା ସହ ତାର ଟାଣି ଲାଇଟ ମଧ୍ୟ ଖଞ୍ଜି ଦେଇଛି କିନ୍ତୁ ଆଲୋକୀକରଣ କରି ନାହି । ଦୀର୍ଘ ୩ କିଲୋମିଟର ରାସ୍ତାରେ ଆଲୋକୀକରଣ ହୋଇ ପାରିନଥିବାରୁ ରାତ୍ର ସମୟରେ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ରାସ୍ତାରେ ଯିବା ଆସିବା କରିବାରେ ବହୁତ ଅସୁବିଧାର ସମୁଖୀନ ହେବା ସହ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଗୁଣପୁର ଟି ପି ଏସ ଓ ଡି ଏଲ , ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁନିଲ କୁମାର ରାଉତ ପ୍ରକାଶ କରିଛନ୍ତି ଯେ, ଇଲେଟ୍ରିକାଲ ଇନ୍ସପେକସେନ କ୍ଲୀୟରାନ୍ସ କାମ ପେଣ୍ଡିଂ ରହିଛି , ଆବେଦନକାରୀ ପୌର ସଂସ୍ଥା ରିପୋର୍ଟ ପ୍ରଦାନ କଲେ ବିଦ୍ୟୁତ ସଂଯୋଗ କରି ଦିଆଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଯଥା ଶୀଘ୍ର କାମ ସାରିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ବାଇ ପାସ ରାସ୍ତା ପ୍ରସସ୍ଥିକରଣ ହେବା ପରେ ଷ୍ଟ୍ରିଟ ଲାଇଟ ଗୁଡାକର ଇଲେଟ୍ରିକାଲ ଇନ୍ସପେକସେନ କ୍ଲୀୟରାନ୍ସ କାମ ବିଳମ୍ଭ ଘଟିବାରୁ ଷ୍ଟ୍ରିଟ ଲାଇଟଗୁଡିକର ଆଲୋକୀକରଣ ହୋଇ ପାରି ନାହି । ଖୁବ ଶୀଘ୍ର ବାଇ ପାସ ରାସ୍ତାରେ ଲାଇଟ ଗୁଡାକ କାର୍ଜକ୍ଷମ କରିବ ବୋଲି ଗୁଣପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ପ୍ରକାଶ କରିଛନ୍ତି ।
ବାଇପାସ ରାସ୍ତାର ବ୍ୟବହାରର ଗୁରୁତ୍ବ ଉପଲବ୍ଧ କରି ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ