ଏସସିବି ମେଡିକାଲରେ ବଡ଼ ହେରଫେର, ୧୦ ବର୍ଷରେ ୧.୪୦ କୋଟି ଟଙ୍କା ଗାଏବ!
କଟକ, (ଓ୍ବାଇଏନଏସ): ଏସସିବି ମେଡିକାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ବଡ଼ ଆର୍ଥିକ ହେରଫେର ଅଭିଯୋଗ । ୧୦ ବର୍ଷ ଭିତରେ କର୍ମଚାରୀଙ୍କ ପ୍ରାପ୍ୟ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଟିଏ, ଡିଏ, ଏରିଅର, ଷ୍ଟଡି ଟୁର୍ ଏବଂ ମାଟର୍ନିଟି ଲିଭ୍ ବାବଦରେ ମିଳିବାକୁ ଥିବା ଟଙ୍କାରେ ହେରଫେର ହୋଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ଏହି ଟଙ୍କା ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଯିବା ବଦଳରେ ଅନ୍ୟତ୍ର ହଡ଼ପ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ଯେଉଁ କର୍ମଚାରୀଙ୍କ ଟଙ୍କା ହେରଫେର ହୋଇଛି, ସେମାନେ ମଧ୍ୟ ଦୀର୍ଘ ସମୟ ଧରି ଏହାର ଟେର୍ ପାଇନଥିଲେ । ତେବେ ଆକାଉଣ୍ଟାଣ୍ଟ ଜେନେରାଲ୍ଙ୍କ ଅଡିଟ୍ ସମୟରେ ଏହି ଆର୍ଥିକ ହେରଫେର ଧରାପଡ଼ିଥିବା ସୂଚନା ମିଳିଛି । ଏନେଇ ଗତ ସପ୍ତାହରେ ଏସସିବି ମେଡିକାଲ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଛି । ଘଟଣା ସାମ୍ନାକୁ ଆସିବା ପରେ ଏସସିବି ମେଡିକାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି । ଏତେ ବଡ଼ ଅର୍ଥରାଶି କିପରି ହେରଫେର ହେଲା ଏବଂ ଏଥିରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଏବେ ତଦନ୍ତର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ସାଧାରଣତଃ ଏସସିବି କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ଟଙ୍କା ପ୍ରଦାନ ପାଇଁ ଏକାଧିକ ସ୍ତରରେ ଯାଞ୍ଚ ହୋଇଥାଏ । ପ୍ରଥମେ ଡାଟା ଏଣ୍ଟ୍ରି ଅପରେଟର ତଥ୍ୟ କମ୍ପ୍ୟୁଟରରେ ଏଣ୍ଟ୍ରି କରିଥାନ୍ତି । ଏହାପରେ ଡିଲିଂ ଆସିଷ୍ଟାଣ୍ଟ ତଥ୍ୟ ଯାଞ୍ଚ କରନ୍ତି । ପରେ ଆକାଉଣ୍ଟାଣ୍ଟ ଓ କ୍ୟାସିୟରଙ୍କ ମାଧ୍ୟମରେ ଏହା DDOଙ୍କ ନିକଟକୁ ଯାଇଥାଏ । DDOଙ୍କ ଅନୁମୋଦନ ପରେ ବିଲ୍ ଟ୍ରେଜେରିକୁ ଯାଇଥାଏ । ଟ୍ରେଜେରି ପକ୍ଷରୁ ଯାଞ୍ଚ ପରେ Public Financial Management System ବା PFMS ମାଧ୍ୟମରେ ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଦରମା ସହ ଅନ୍ୟାନ୍ୟ ପ୍ରାପ୍ୟ ଟଙ୍କା ପଠାଯାଇଥାଏ । ତେବେ ଏତେଗୁଡ଼ିଏ ଯାଞ୍ଚ ବ୍ୟବସ୍ଥା ଥିବା ସତ୍ତ୍ୱେ ୧୦ ବର୍ଷ ଧରି ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ହେରଫେର କିପରି ଚାଲିଥିଲା, ତାହା ଏବେ ବଡ଼ ପ୍ରଶ୍ନ । ଅଡିଟ୍ରେ ଧରାପଡ଼ିବା ପରେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେବ, ତା’ଉପରେ ଏବେ ନଜର ।


