ଚୌଦ୍ୱାର ବିଜେଡି କୁ ବଡ଼ ଝଟକା : ୧୨ ନମ୍ବର ୱାର୍ଡର କାଉନସିଲର ସୁବ୍ରତ କୁମାର ସାମଲ ଦଳରୁ ଦେଲେ ଇସ୍ତଫା

କଟକ, (ଓ୍ବାଇଏନଏସ): କଟକ ଚୌଦ୍ୱାର ପୌରପରିଷଦରେ ବିଜୁ ଜନତା ଦଳ (ବିଜେଡି)କୁ ଏକ ବଡ଼ ଝଟକା ଲାଗିଛି । ୧୨ ନମ୍ବର ୱାର୍ଡର ଦୁଇ ଦୁଇ ଥରର କାଉନସିଲର ସୁବ୍ରତ କୁମାର ସାମଲ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଏହି ଅଚାନକ ନିଷ୍ପତ୍ତି ପରେ ସ୍ଥାନୀୟ ଚୌଦ୍ୱାର ବିଜେଡି ସଂଗଠନରେ ଏକପ୍ରକାର ରାଜନୈତିକ କମ୍ପନ ସୃଷ୍ଟି ହୋଇଛି ।ନିଜ ଇସ୍ତଫାପତ୍ରରେ ସୁବ୍ରତ କୁମାର ସାମଲ ଦଳ ଛାଡ଼ିବାର ପ୍ରମୁଖ କାରଣ ଉଲ୍ଲେଖ କରି ଦଳର ସୁପ୍ରିମୋଙ୍କ ନିକଟକୁ ପଠାଇଛନ୍ତି । ସେ ଦର୍ଶାଇଛନ୍ତି ଯେ, ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିଲେ । ଏହା ସହିତ ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳଙ୍କ ସହଯୋଗ କ୍ରମେ ସେ ନିଜ ୱାର୍ଡର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ସହ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ନିକଟ ଅତୀତରେ ଦଳ ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ତାଙ୍କୁ କ୍ଷୁବ୍ଧ କରିଛି । ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କରାଯିବା ଏବଂ ସୌଭିକ ବିଶ୍ୱାଳଙ୍କୁ ନିଲମ୍ବନ କରାଯିବା ଘଟଣା ତାଙ୍କୁ ଗଭୀର ଆଘାତ ଦେଇଛି । ଏହି ପଦକ୍ଷେପ ପରେ ସେ ଦଳ ଭିତରେ ନିଜକୁ ‘ଅଣନିଶ୍ୱାସୀ’ ଅନୁଭବ କରୁଥିଲେ ବୋଲି ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି । ଶେଷରେ ଏହି ଅସନ୍ତୋଷ କାରଣରୁ ସେ ଦଳରୁ ଓହରିଯିବାକୁ ବାଧ୍ୟ ହୋଇଛନ୍ତି । ନିର୍ବାଚନ ମଣ୍ଡଳୀର ଜଣେ ଟାଣୁଆ ନେତା ତଥା ଦୁଇ ଥରର କାଉନସିଲରଙ୍କ ଏହି ଇସ୍ତଫା ଆଗାମୀ ଦିନରେ ସ୍ଥାନୀୟ ସମୀକରଣ ଉପରେ କି ପ୍ରଭାବ ପକାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ