ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
କଟକ (ଓ୍ବାଇଏନଏସ): ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୧୩୨ଟି ଅଭିଯୋଗ ହସ୍ତଗତ ହୋଇଥିବାବେଳେ ତନ୍ମଧ୍ୟରେ ୧୨୬ ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୬ଟି ସାମୁହିକ ଅଭିଯୋଗ ରହିଥିଲା । ଏହି ଅଭିଯୋଗ ଶୁଣାଣି ସ୍ଥଳରେ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ପ୍ରଶାନ୍ତ ନାୟକ, ଉପଜିଲ୍ଲାପାଳ ଆଠଗଡ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା ଏବଂ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଶ୍ଵଜିତ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥିସହ କୃଷି, ଶିକ୍ଷା, ବିଦ୍ୟୁତ, ପାନୀୟ ଜଳ, ଭିନ୍ନକ୍ଷମ ଏବଂ ଅନ୍ୟାନ୍ୟ ଭତ୍ତା ଆଦି ସମ୍ପର୍କିତ ବିଭିନ୍ନ ପଞ୍ଜିକୃତ ଅଭିଯୋଗର ଶୁଣାଣି ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ, ଆସନ୍ତା ଅଗଷ୍ଟ ୩୧ତାରିଖରେ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ।


