ଜଳସେଚନ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପର ଅଗ୍ରଗତି ପାଇଁ ବିଧାୟକଙ୍କ ସମୀକ୍ଷା
ଛତ୍ରପୁର (ଦେବଦତ୍ତ ମହାରଣା): ଚଳିତ ଗ୍ରୀଷ୍ମ ଋତୁ ଓ ଆଗାମୀ ବର୍ଷା ଋଚ୍ଛୁକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନ ଛତ୍ରପୁର ଓ ଗଞ୍ଜାମ ବ୍ଲକ ଏବଂ ଛତ୍ରପୁର, ଗଞ୍ଜାମ ଓ ରମ୍ଭା ଏନ୍ଏସିର ଜଳସେଚନ, ପୁର୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ସମସ୍ତ ପ୍ରକଳ୍ପ କାର୍ଯ୍ୟ ଗୁଡିକ କିପରି ସଠିକ୍ ଭାବେ ପରିଚାଳନା ହେବ ଏବଂ ଜନସାଧାରଣ ଏଥିରେ କିପରି ଉପକୃତ ହୋଇପାରିବ ସେଥିପ୍ରତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଗୁରୁତ୍ୱ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଛତ୍ରପୁର ସର୍କିଟ ଗୃହରେ ବିଧାୟକ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ଓ ଗଞ୍ଜାମ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଛତ୍ରପୁର, ଗଞ୍ଜାମ ଓ ରମ୍ଭା ଏନ୍ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜଳସେଚନ, ପୁର୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଖରାଦିନକୁ ଦୃଷ୍ଟିରେ ରଖି ସମସ୍ତ ପଂଚାୟତର ଗାଁ ଓ ସହରାଂଚଳ ଗୁଡିକରେ ପାନୀୟ ଜଳର ସୁବ୍ୟବସ୍ଥା ଦିଗରେ ପଦକ୍ଷେପ ନିଆଯିବ ସହିତ ବର୍ଷାଦିନ ପୂର୍ବରୁ ସମସ୍ତ ଗାଁ ଓ ସହରାଂଚଳରେ ନିର୍ମାଣଧୀନ ରାସ୍ତା ପ୍ରକଳ୍ପ ଗୁଡିକର କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଅଧିକାରୀମାନଙ୍କୁ ବିଧାୟକ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି । ସହରାଂଚଳ ଗୁଡିକର ରାସ୍ତା ଗୁଡିକ ପୁର୍ତ ବିଭାଗକୁ ହସ୍ତାନ୍ତର କରି କିପରି ତ୍ୱରିତ୍ୱ କାମ କରାଯାଇପାରିବ । ପ୍ରତ୍ୟେକ ପ୍ରକଳ୍ପ କାର୍ଯ୍ୟ ଉତମମାନର ହେବ । ଏଥିରେ କୌଣସି ବିଭାଗ ଅଧିକାରୀ ଅବହେଳା କିମ୍ବା ନିମ୍ନମାନର କାର୍ଯ୍ୟକୁ ପ୍ରଶୟ ଦିଅନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ ଚରମବାଣୀ ଶୁଣାଇଛନ୍ତି । ସେହିପରି ଚାଷ କ୍ଷେତ୍ରରେ ବିକାଶ ଲାଗି ଜଳସେଚନ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ଏବଂ ବର୍ଷାଦିନ ପାଇଁ ବିଭାଗୀୟ ପକ୍ଷରୁ କେଉଁ ପ୍ରକାର ଖସଡା ପ୍ରସ୍ତୁତ କରାଯାଇଛି । ଏହାସହିତ ଆଗାମୀ ୫ ବର୍ଷ ପାଇଁ ଜଳସେଚନ ବିଭାଗ ଛତ୍ରପୁର ନିର୍ବାଚନମଣ୍ଡଳୀର ବିକାଶ ଦିଗରେ ଭିଜନ କଣ ରହିଛି ତାହାରି ଟିକିନିଖି ତଥ୍ୟ ଅଧିକାରୀଙ୍କ ଠାରୁ ବିଧାୟକ ଶ୍ରୀ ନାୟକ ବୁଝିଥିଲେ । ବୈଠକ ସ୍ଥଳରୁ ହିଁ ବିଧାୟକ ପୁର୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ସହିତ ଫୋନ୍ ମାଧ୍ୟମରେ ପ୍ରକଳ୍ପ ଦିଗରେ ଉପୁଜୁଥିବା ସମସ୍ୟା ଗୁଡିକର ସମାଧାନ ପାଇଁ ଆଲୋଚନା କରିଥିଲେ । ସେହିପରି ପ୍ରତିମାସରେ ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନରେ ଏହି ବିଭାଗ ଗୁଡିକରେ ଦ୍ୱାରା ଚାଲୁ ରହିଥିବା ସମସ୍ତ ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରାଯିବ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି ।