ସମନ୍ୱୟ ସମିତିର ବୈଠକ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାଶ): ଓଡିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଏକ ଜରୁରୀ ବୈଠକ ଦୁହୁରିଆସ୍ଥିତ ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓଷ୍ଠା ସଭାପତି ଅଶୋକ କୁମାର ପରିଜାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସରକାରଙ୍କ ଦ୍ୱାରା ପ୍ରଚଳିତ ୟୁଏଏସ୍ ପୋର୍ଟାଲ ସିଷ୍ଟମ୍ ବ୍ୟବସ୍ଥାକୁ ତୀବ୍ର ବିରୋଧ କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଏପ୍ରିଲ ୪ ତାରିଖଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଗୁଡିକରେ ଶିକ୍ଷକ, ଶିକ୍ଷିକା ଓ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ଅନ୍ଲାଇନ୍ ମାଧ୍ୟମରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଏ ବାବଦରେ ଉପଯୁକ୍ତ ଭିତ୍ତିଭୂମିର ବିକାଶ ସରକାର କରିନାହାଁନ୍ତି । ଅନ୍ଲାଇନ୍ ଉପସ୍ଥାନ ପାଇଁ ଆବଶ୍ୟକୀୟ ଉପକରଣ ୱାଇ-ଫାଇ ସେବା, ଡାଟାଏଣ୍ଟ୍ରି ଅପରେଟର ସମସ୍ତ ବିଦ୍ୟାଳୟକୁ ବିଦ୍ୟୁତ୍ ବିଲ୍ ପ୍ରଦାନ ନକରି ଅନ୍ଲାଇନ୍ ଉପସ୍ଥାନ ପାଇଁ ଚିଠି କରିବା ଶିକ୍ଷକମାନଙ୍କୁ ଗଭୀର ବ୍ୟଥିତ କରିଛି । ଓଡିଶାର ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ସରକାର ପ୍ରଥମେ ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଚାକିରୀ ସର୍ତ୍ତାବଳୀ ପୂର୍ବକ ପେନସନ ପ୍ରଦାନ ସହିତ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସରକାରୀକରଣ, ବିଜୁଳି ବ୍ୟବସ୍ଥା, ଇଣ୍ଟରନେଟ ପ୍ୟାକେଜ୍, ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ସହିତ ଭିତ୍ତିଭୂମି ସୁଦୃଢ କରି ୟୁଏଏସ୍ ପୋର୍ଟାଲ ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ଓଡିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି କେନ୍ଦ୍ରାପଡା ଜିଲ୍ଲା ଆବାହକ ଓଷ୍ଟା ସମ୍ପାଦକ ଭଗବାନ ସାହୁ, ରାଜ୍ୟ ଓଷ୍ଟା ସମ୍ପାଦକ ପ୍ରଣବ କୁମାର ଜେନା, ଅଲୋଷ୍ଟା ଶିକ୍ଷକ ଦର୍ପଣ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ, ରାଜ୍ୟ ଉପସଭାପତି ଧନେଶ୍ୱର ପାତ୍ର, ୬୬୨ ବର୍ଗ କଲେଜର କର୍ମଚାରୀ ସମନ୍ୱୟ ସମିତି ସଭାପତି ସୁଚେନ୍ଦ୍ର କୁମାର ପଢିଆରୀ, ୧୯୪ ଅଣଅନୁଦାନର ଶିକ୍ଷକ ନେତା ପଙ୍କଜ କୁମାର ବେହୁରା, ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଜିଲ୍ଲା ଯୁଗ୍ମ ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି, ଟିଟିକାନ୍ତ ନାୟକ, କାର୍ଯ୍ୟକାରୀ ସଦସ୍ୟ ମହେଶ୍ୱର ସାହୁ, ବିପିନ ଚରଣ ବେଉରା, ମଦ୍ରାସା ଶିକ୍ଷକ ସଂଘର ସମ୍ପାଦକ ମହମ୍ମଦ ଫାରୁକ୍ ପ୍ରମୁଖ ଦାବି କରିଛନ୍ତି ।