ଯୌତୁକ ପାଇଁ ହତ୍ୟା ଉଦ୍ୟମ ; ସ୍ବାମୀଙ୍କ କାତି ଚୋଟରେ ସ୍ତ୍ରୀ ଗୁରୁତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ବୁଡୁ ସେଠୀ ତାଙ୍କ ସ୍ତ୍ରୀ ରଶ୍ମି ସେଠୀ ଙ୍କୁ ଯୌତୁକ ପାଇଁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କାତି ଚୋଟ ରେ ଗୁରୁତର ରଶ୍ମି ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଛି।ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୁଲିସ କହିଛି।ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ଗ୍ରାମରେ ଘଟଣା ଘଟିଛି।ରଶ୍ମି ଙ୍କ ଭାଇ ଲକ୍ଷ୍ମୀ ଚରଣ ସେଠୀ ଏନେଇ  ଥାନାରେ ଏତଲା ଦେଇଛନ୍ତି।ଏତଲା କୁ ଭିତ୍ତିକରି   ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୧୮୫/୨୫ ଅନୁଯାୟୀ ଅଭିଯୁକ୍ତ ସ୍ବାମୀ ବୁଡୁୁ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏଏସଆଇ ଅଜୟ କୁମାର ନାୟକ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ପ୍ରାୟ ୧୪ ବର୍ଷ ପୂର୍ବେ ଗଞ୍ଜାମ ଜିଲ୍ଲା ଜରଡା ଥାନା ନାରାୟଣପୁର ଗ୍ରାମର ରାଜେନ୍ଦ୍ର ସେଠୀ ଙ୍କ କନ୍ୟା ରଶ୍ମି ବଡ଼ଡୁମ୍ବୁଳା ଗ୍ରାମର ସୀତାରାମ ସେଠୀ ଙ୍କ ପୁଅ ବୁଡୁୁ ଙ୍କୁ ବିବାହ କରିଥିଲେ।ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବୀ ପ୍ରକାରେ ନଗଦ ୫୦ ହଜାର ଟଙ୍କା, ସାଢ଼େ ୪ ଭରି ଓଜନର ସୁନା ଅଳଙ୍କାର  ଓ ସମସ୍ତ ଘରକରଣା ଯୌତୁକ ସ୍ୱରୂପ ଦିଆଯାଇଥିଲା।ବିବାହର ୨ ବର୍ଷ ବେଶ୍ ହସ ଖୁସି ରେ କଟିବା ପରେ ସ୍ବାମୀ ବୁଡୁ ଯୌତୁକ ସ୍ୱରୂପ ପୁଣି ୧ ଲକ୍ଷ ଟଙ୍କା ଏବଂ ୨ ଭରି ସୁନା ଅଳଙ୍କାର ବାପ ଘରୁ ଆଣିବାକୁ ରଶ୍ମି ଙ୍କୁ ବାଧ୍ୟ କରିବା ସହ ସଦାସର୍ବଦା ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ। ତାଙ୍କର ୭ ବର୍ଷୀୟ ପୁଅ ଓ ୧୦ ବର୍ଷୀୟା ଝିଅ ଅଛନ୍ତି। ବୁଡୁ ଗୁଜୁରାଟ ର   ସୁରତ ସହର ସୂତାକଳ ରେ କାମ କରନ୍ତି।  ଗତ କିଛି ଦିନ ପୂର୍ବେ ସେ ଗାଁ କୁ ଆସିଥିଲେ।  ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ୨ ଟାରେ ବୁଡୁ ତାଙ୍କ ସ୍ତ୍ରୀ ରଶ୍ମି ଙ୍କୁ ଏକ କାତି ରେ ମରଣାନ୍ତକ ଆକ୍ରମଣ କରିଥିଲେ ।  ରଶ୍ମି ଙ୍କ ହାତ, ଗୋଡ଼ ଓ ଶରୀର ର ବିଭିନ୍ନ ଭାଗ ରେ କାତି ମାଡ଼ ହୋଇଛି। ପ୍ରଚୁର ରକ୍ତସ୍ରାବ ହେବାରୁ ଝିଅ ପୁଅ ଦୁଇଜଣ କାନ୍ଦି ଥିଲେ।ଉଭୟଙ୍କୁ ସେ ରାସ୍ତା ଉପରକୁ ନେଇ କଚାଡ଼ି ଦେଇଥିଲେ। ସାହି ଲୋକେ ଦୌଡ଼ି ଆସିବାରୁ ବୁଡୁ ସେଠାରୁ ନାନା ଧମକ ଦେଇ ପଳାଇଥିଲେ।ରଶ୍ମି ଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଏତଲାରେ ଉଲ୍ଲେଖ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ