ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ OCAର ଆଲୋଚନା

କଟକ, (ଓ୍ବାଇଏନଏସ): ଓଡ଼ିଶାରେ କ୍ରିକେଟ୍‌ର ବିକାଶ ସହ ବାରବାଟୀ ଷ୍ଟାଡିୟମର ନବୀକରଣ ଓ ଆଗାମୀ ଭାରତ-ଶ୍ରୀଲଙ୍କା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ର ସୁପରିଚାଳନାକୁ ନେଇ ରବିବାର ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (OCA)ର ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। OCA ସମ୍ପାଦକ ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ଆସୋସିଏସନ୍‌ର ଅନ୍ୟାନ୍ୟ ପଦାଧିକାରୀ ଏବଂ ଅନୁବନ୍ଧିତ ୟୁନିଟ୍‌ଗୁଡ଼ିକର ସଦସ୍ୟମାନେ ଏହି ପ୍ରତିନିଧିମଣ୍ଡଳୀରେ ସାମିଲ ଥିଲେ। ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ଗୁଡ଼ିକର ସୁଚାରୁ ଆୟୋଜନ ପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକ ଯେଉଁ ସହଯୋଗ ଓ ସକ୍ରିୟ ସମର୍ଥନ ଯୋଗାଇ ଆସିଛନ୍ତି, ସେଥିପାଇଁ OCA ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଥିଲା। ଆଗାମୀ ଭାରତ-ଶ୍ରୀଲଙ୍କା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ବାରବାଟୀ ଷ୍ଟାଡିୟମରେ ସଫଳତାର ସହ ଆୟୋଜନ କରିବା ଲାଗି ସରକାରଙ୍କ ସହଯୋଗ ଜାରି ରଖିବା ଉପରେ ପ୍ରତିନିଧିମଣ୍ଡଳୀ ଗୁରୁତ୍ୱାରୋପ କରିଥିଲେ। ଏଥିସହ ରାଜ୍ୟର ସମସ୍ତ ଜିଲ୍ଲାରେ କ୍ରିକେଟ୍‌ର ବ୍ୟାପକ ବିକାଶ ଓ ଭିତ୍ତିଭୂମିର ଉନ୍ନତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବାରବାଟୀ ଷ୍ଟାଡିୟମର ପୁନଃବିକାଶକୁ ନେଇ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଥିବା OCAର ପ୍ରେସ୍‌ ରିଲିଜ୍‌ରେ ଉଲ୍ଲେଖ କରାଯାଇଛି। ତେବେ ଏହି ବୈଠକରେ ଷ୍ଟାଡିୟମର ନବୀକରଣ କିମ୍ବା ଆଗାମୀ ମ୍ୟାଚ୍‌ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଘୋଷଣା କରାଯାଇଥିବା ସୂଚନା ପ୍ରେସ୍‌ ରିଲିଜ୍‌ରେ ଦିଆଯାଇନାହିଁ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ