ଓମସା ଡାକ୍ତରଙ୍କ ଆନ୍ଦୋଳନ ତୃତୀୟ ଦିନରେ : ରୋଗୀ ହନ୍ତସନ୍ତ

ଧାମନଗର (ଓ୍ବାଇଏନଏସ): ରାଜ୍ୟ ସରକାରଙ୍କ ଡାକ୍ତର ମାନଙ୍କୁ ଅବହେଳା ଓ ପ୍ରତିଶ୍ରୁତି ପୂରଣରେ ବିଳମ୍ବକୁ ନେଇ ଓଡି଼ଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (ଓଏମଏସଏ) ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରି ତିନିଦିନରେ ପହଞ୍ଚିଛି। ଆକ୍ସନ କମିଟିର ନିଦେ ନିର୍ଦ୍ଦେଶ କ୍ରମେ ଜୁଲାଇ ଏକ ତାରିଖରୁ  ଧାମନଗର ସଦର ମହକୁମା ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ସମସ୍ତ ଓସମା ଡାକ୍ତର ଏକତ୍ରିତ ହୋଇ ୧୧ଦଫା ସମ୍ବଳିତ ବିଭିନ୍ନ ଦାବି ପୂରଣ ନେଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ସହ ଧାରଣାରେ ବସିଛନ୍ତି। ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଧୁଷୁରୀ ଏରିଆ ହସ୍ପିଟାଲ ଏବଂ ଏହା ଅଧୀନରେ ଥିବା ୧୧ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଏମବିବିଏସ୍ ଓ ବିଶେଷଜ୍ଞ ଡାକ୍ତରମାନେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟରୁ ନିବୃତ୍ତ ଥିବାରୁ ଓପିଡି, ଆଇପିଡି,ଜରୁରୀକାଳୀନ ସେବା ସମେତ ରକ୍ତ ପରୀକ୍ଷା ଓ ଏକ୍ସ-ରେ ଭଳି ନିଦାନମୂଳକ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଚିକିତ୍ସା ନପାଇ ବହୁ ଦୂରଦୂରାନ୍ତରୁ ଆସିଥିବା ରୋଗୀମାନେ ଚରମ ହନ୍ତସନ୍ତ ହେଉଛନ୍ତି।ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୈନିକ ହାରାହାରି ୫୦୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଆଜି ମଧ୍ୟାହ୍ନ ସୁଦ୍ଧା ୩୬୩ ଜଣ ରୋଗୀ ରେଜିଷ୍ଟରରେ ନାମ ପଞ୍ଜୀକରଣ କରି ଡାକ୍ତରଙ୍କ ଅପେକ୍ଷାରେ ରହିଥିଲେ। ବର୍ତ୍ତମାନ ବର୍ଷା ଋତୁ ଜନିତ ଜ୍ୱର,ଥଣ୍ଡା,ଝାଡ଼ାବାନ୍ତି ଓ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବହୁଳ ଭାବେ ବୃଦ୍ଧି ପାଇଥିବା ବେଳେ ସମସ୍ତ ସରକାରୀ ଡାକ୍ତର ଛୁଟିରେ ରହିବା ସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଦୁର୍ଘଟଣାଗ୍ରସ୍ତ ରୋଗୀ ମଧ୍ୟ ପ୍ରାଥମିକ ଚିକିତ୍ସା ପାଇଁ ଡହଳବିକଳ ହେଉଛନ୍ତି। ସ୍ଥିତିର ମୁକାବିଲା ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଆୟୁଷ ଡାକ୍ତରମାନଙ୍କୁ ଅଦଳବଦଳ ଭିତ୍ତିରେ ନିୟୋଜିତ କରାଯାଇଛି। ସକାଳ ଓଳି ତିନି ଜଣ ରହୁଥିବାବେଳେ ଅପରାହଣରେ ୩ଜଣ ରହୁଛନ୍ତି। ଆଉ ରାତିରେ ଜଣେ। ଏହିଭଳି ସେମାନେ ଆସି ରୋଗୀ ଦେଖୁଛନ୍ତି। ବିଶେଷଜ୍ଞ ଚିକିତ୍ସା ଅଭାବରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିଜର ବୈଧ ଓ ନ୍ୟାୟସଙ୍ଗତ ଦାବିଗୁଡ଼ିକ ପ୍ରତି ସରକାର ଓ ପ୍ରଶାସନର କର୍ଣ୍ଣପାତ ହେଉ ନଥିବାରୁ ସେମାନେ ବାଧ୍ଯ ହୋଇ ଏପରି ଚରମ ନିଷ୍ପତ୍ତି ନେଇଥିବା ଡାକ୍ତର ମାନେ ମତପ୍ରକାଶ କରିଛନ୍ତି।ସରକାର ତୁରନ୍ତ ଦାବି ଗୁଡ଼ିକ ଉପରେ ବିଚାର ନକଲେ ଆନ୍ଦୋଳନ ଆଗାମୀ ଦିନରେ ଅଧିକ ତୀବ୍ର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ