ଡାଳିମ୍ବଗଢିଆ ମାଇନର କେନାଲ ବନ୍ଧ ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର: ଲାଗିନାହିଁ ସୂଚନା ଫଳକ

ବନ୍ତ(ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ଓ ରାଜ୍ୟ ସରକାର କୃଷକ ମାନଙ୍କ ବିକାଶ ଲାଗି ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଚାଷ ଜମିକୁ ଜଳସେଚିତ କରାଇବା ପାଇଁ କେନାଲର ବ୍ୟବସ୍ଥା କରିଛନ୍ତି । କେନାଲ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ଏଥିସହିତ ଚାଷୀ ମାନଙ୍କ ଯାତାୟତର ସୁବିଧା ଏବଂ ବିଭିନ୍ନ ସମୟରେ ଜଳସେଚନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ କେନାଲ ଗୁଡିକର ବିଭିନ୍ନ ସମସ୍ୟା ବୁଝିବା ପାଇଁ କେନାଲ ବନ୍ଧ ଗୁଡିକରେ ପିଚୁ ରାସ୍ତା ମଧ୍ୟ ତିଆରି ହେଉଛି । ହେଲେ ଠିକାଦାରଙ୍କ ମନମାନୀରେ ନିମ୍ନମାନର କାର୍ଯ୍ୟ ହେଉଥିବା ଯୋଗୁ ସରକାରଙ୍କର ଏହି ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି । ଏଭଳି ଅଭିଯୋଗ ଆସିଛି ଶାଳପଡା ବୈତରଣୀ ଜଳସେଚନ ଡିଭିଜନ ତଥା ଶାଳନିଆଁ ସବଡିଭିଜନ୍ ବନ୍ତ ସେକ୍ସନ ୩ ଅଧିନ ଡାଳିମ୍ବଗଢିଆ ମାଇନର କେନାଲ ବନ୍ଧ ରାସ୍ତା ମରାମତି କାର୍ଯ୍ୟରେ । ପ୍ରକାଶ ଯେ, ଚଳିତ ଆର୍ଥିକ ବର୍ଷ ଡାଳିମ୍ବଗଢିଆ ମାଇନର କେନାଲ ବନ୍ଧ ରାସ୍ତାର ମରାମତି କାର୍ଯ୍ୟ ପାଇଁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ମଞ୍ଜୁର ହୋଇଥିଲା । ଏହି ଅର୍ଥରେ ହାଟଡିହୀ ଶାଖା କେନାଲ ଅଧିନ ଡାଳିମ୍ବଗଢିଆ ମାଇନର ଆରମ୍ଭସ୍ଥଳ ଠାରୁ ବିଂଝା ମାଇନର ପର୍ଯ୍ୟନ୍ତ ୨୧୪୦ ମିଟର କେନାଲ ବନ୍ଧ ରାସ୍ତାକୁ ପିଚୁ କରାଯିବାର ନିର୍ଦ୍ଦେଶ ରହିଛି । ଏହି ରାସ୍ତା କାର୍ଯ୍ୟରେ ଡବ୍ଲ୍ୟୁଏମଏମ ୬ ଇଞ୍ଚ, ପିଚୁ ୩ ଇଞ୍ଚ ହେବା ସହିତ ରାସ୍ତାର ଓସାର ୧୧ ଫୁଟ ରହିବାକୁ ଥିବା ବେଳେ ଏହି କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ ଜନୈକ ଠିକାଦାରଙ୍କ ଦ୍ୱାରା କରାଯାଉଛି । ଗତ ଜାନୁଆରୀ ଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇନାହିଁ । ପୂର୍ବ ପିଚୁ ରାସ୍ତାର ଉଭୟ ପାଶ୍ୱର୍କୁ ଖୋଳି ଦିଆଯାଇ ସମତଳ କରିଦିଆଯାଇଛି । ସେହିପରି ପୂର୍ବ ପିଚୁକୁ ଖୋଳି ଦିଆଯାଇ ସେଥିରେ ଅଳ୍ପ ପରିମାଣରେ ଡବ୍ଲ୍ୟୁଏମଏମ ମିଶାଇ ସମତଳ କରିଦିଆଯାଇଛି । ୬ ଇଞ୍ଚ ଉତ୍ତତାରେ ଡବ୍ଲ୍ୟୁଏମଏମ କରାଯିବାକୁ ଥିବା ବେଳେ ତାହା ମାତ୍ର ୩ରୁ ୪ ଇଞ୍ଚ ଉଚ୍ଚତାରେ କରାଯାଇଛି । ସେହିପରି ରୋଲିଂ କରାଯିବା ବେଳେ ଆବଶ୍ୟକ ପରିମାଣରେ ପାଣି ଦିଆଯାଇନାହିଁ । କାର୍ଯ୍ୟ ଚାଲିଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନାହାନ୍ତି । ଫଳରେ ଠିକାଦାର ମନମାନୀରେ କାର୍ଯ୍ୟ ଚଳାଇଛନ୍ତି । ରାସ୍ତାରେ ପାଣି ଦିଆଯାଉନଥିବା ଯୋଗୁ ଧୂଳି ଉଡିବା ସହ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡବ୍ଲ୍ୟୁଏମଏମ କାର୍ଯ୍ୟ ପରେ ପିଚୁ କାର୍ଯ୍ୟ କେବେ ତାହା ସଠିକ ଭାବେ ଜଣାପଡୁନାହିଁ । ଏସମ୍ପର୍କରେ ଠିକାଦାରକୁ ଫୋନ କଲେ ଫୋନ ଧରୁ ନଥିବା ଦେଖାଯାଇଛି । ତେବେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଏହି କାର୍ଯ୍ୟକୁ ନିମ୍ନମାନର କରି ଅର୍ଥ ହରିଲୁଟ କରିବାକୁ ସମ୍ପୃକ୍ତ ଠିକାଦାର ମସୁଧା ଚଳାଇଥିବା ସ୍ଥାନୀୟ ଅଞ୍ଚଳର କେତେକ ଚାଷୀ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ