ପକ୍ଷାଘାତଗ୍ରସ୍ତ ଦେବେନ୍ଦ୍ରଙ୍କୁ ସରକାରୀ ସହାୟତା ଅପେକ୍ଷା: ନାହିଁ ଭିନ୍ନକ୍ଷମ ଭତ୍ତା, ନାହିଁ ଆବାସ ଘର
ନାଉଗାଁ (ପ୍ରଦୋଷ ମହାନ୍ତି): ଦୀର୍ଘ ୪ ବର୍ଷ ହେଲା ପକ୍ଷାଘାତରେ ପୀଡ଼ିତ। ରୋଜଗାର କରିବାକୁ ଅକ୍ଷମ। ମୁଣ୍ଡ ଗୁଞ୍ଜିବାକୁ ଭଙ୍ଗା ଚାଳଛପର ଘର, ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା ମଧ୍ୟ କଷ୍ଟକର। ଏଭଳି ଦୟନୀୟ ସ୍ଥିତିରେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ନାଉଗାଁ ବ୍ଲକ ଅନ୍ତର୍ଗତ ଖଇରାବସ୍ତ ଗ୍ରାମର ଦେବେନ୍ଦ୍ର କୁମାର ଭୋଇ (୪୯)। ଦେବେନ୍ଦ୍ର ଏକଦା ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ଦିନମଜୁରି କରି ନିଜ ପତ୍ନୀ ରିନାଲତା ଓ ଦୁଇ ପୁଅଙ୍କୁ ନେଇ ପରିବାର ଚଳାଉଥିଲେ। ତେବେ ପକ୍ଷାଘାତରେ ପୀଡ଼ିତ ହେବା ପରେ ତାଙ୍କ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏବେ ପରିବାର ଚଳାଇବା ସହ ଚିକିତ୍ସା ଖର୍ଚ୍ଚ ଯୋଗାଡ଼ କରିବା ତାଙ୍କ ପାଇଁ ଦୁର୍ବିଷହ ହୋଇପଡ଼ିଛି। ତାଙ୍କ ଘରର ଅବସ୍ଥା ମଧ୍ୟ ଅତ୍ୟନ୍ତ ଦୟନୀୟ। ନୁଆଁଣିଆ ଚାଳଛପର ଘରେ ବର୍ଷାଦିନେ ପାଣି ଗଳୁଥିବାରୁ ଚାଳ ଉପରେ କଳା ଜରି ପକାଇ ପରିବାର ଦିନ କାଟୁଛନ୍ତି। ଅନ୍ୟପକ୍ଷରେ, ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇଥିବା ବେଳେ ଔଷଧ କିଣିବା ପାଇଁ ମଧ୍ୟ ଅର୍ଥ ନାହିଁ। ସରକାରୀ ଆବାସ ଓ ଭିନ୍ନକ୍ଷମ ଭତ୍ତା ପାଇଁ ପରିବାର ପକ୍ଷରୁ ବାରମ୍ବାର ବ୍ଲକ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲେ ମଧ୍ୟ ଏଯାଏଁ ସୁଫଳ ମିଳିନଥିବା ଅଭିଯୋଗ ହୋଇଛି। ଅର୍ଥାଭାବରୁ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆୟୋଜିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ଯାଇପାରୁନଥିବା ତାଙ୍କ ପତ୍ନୀ ରିନାଲତା କହିଛନ୍ତି। ଏ ସମ୍ପର୍କରେ ୧୦ ନମ୍ବର ୱାର୍ଡ ସଭ୍ୟ କ୍ଷୀରୋଦ ସାମଲ କହିଛନ୍ତି, ମୋ ୱାର୍ଡର ଏହି ଅଭାବୀ ପରିବାରକୁ ସରକାରୀ ସହାୟତାର ଆବଶ୍ୟକତା ରହିଛି। ଏନେଇ ସରପଞ୍ଚ ଓ ବିଡିଓଙ୍କୁ ଅବଗତ କରାଇଛି। ଦେବେନ୍ଦ୍ରଙ୍କୁ ଆବାସ ଘର ଓ ଭିନ୍ନକ୍ଷମ ଭତ୍ତା ମିଳିବା ପାଇଁ ଚେଷ୍ଟା କରୁଛି। ସେହିପରି ସାମାଜିକ କର୍ମୀ ସୁବ୍ରତ ରାୟ କହିଛନ୍ତି, ଚିକିତ୍ସା ପାଇଁ ଦେବେନ୍ଦ୍ର ନିଜର ସଞ୍ଚିତ ଅର୍ଥ ଖର୍ଚ୍ଚ କରିସାରିଛନ୍ତି। ଏବେ ଔଷଧ କିଣିବା ପାଇଁ ମଧ୍ୟ ତାଙ୍କ ପାଖରେ ସମ୍ବଳ ନାହିଁ। ତେଣୁ ପ୍ରଶାସନ ପକ୍ଷରୁ ତାଙ୍କ ପରିବାରର ସ୍ଥିତି ତଦନ୍ତ କରି ସରକାରୀ ସହାୟତା ଯୋଗାଇଦେବା ଆବଶ୍ୟକ।


