ତ୍ରିଶିକାଙ୍କ ଚିକିତ୍ସା ପାଇଁ ନାଉଗାଁରେ ମାନବିକତାର ହାତ
ନାଉଗାଁ (ପ୍ରଦୋଷ ମହାନ୍ତି): ଗୁରୁତର ସ୍ନାୟୁଜନିତ ରୋଗରେ ପୀଡ଼ିତ ୧୬ ମାସର ଶିଶୁ ତ୍ରିଶିକାଙ୍କ ଚିକିତ୍ସା ପାଇଁ ନାଉଗାଁ ବ୍ଲକ୍ରେ ମାନବିକତାର ହାତ ବଢ଼ିଛି। ଧର୍ମଶାଳା ବ୍ଲକ୍ ଅରେଇକଣା ଗ୍ରାମପଞ୍ଚାୟତ ରମାପୁର ଗ୍ରାମର ମୁକେଶ ଚନ୍ଦ୍ର ରାୟଙ୍କ କୁନି ଝିଅ ତ୍ରିଶିକା ‘ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି (ଏସ୍ଏମ୍ଏ) ଟାଇପ୍-୨’ ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କ ଉନ୍ନତ ଚିକିତ୍ସା ଓ ଆବଶ୍ୟକ ଔଷଧ ପାଇଁ ପ୍ରାୟ ୧୬ କୋଟି ଟଙ୍କା ଆବଶ୍ୟକ ବୋଲି ପରିବାର ପକ୍ଷରୁ କୁହାଯାଇଛି। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ତ୍ରିଶିକାଙ୍କ ଚିକିତ୍ସା ପାଇଁ ସହଯୋଗ ଯୋଗାଇଦେବାକୁ ପରିବାର ପକ୍ଷରୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ନିବେଦନ କରାଯାଇଥିଲା। ଏହି ନିବେଦନ ପରେ ନାଉଗାଁ ବ୍ଲକ୍ ଜାମୁଦଣ୍ଡା, ହରିନବେଇ ଓ ବ୍ଲକ୍ଛକ ଅଞ୍ଚଳର ସମାଜସେବୀ ଦୀପକ କାଳିଆ, ଆପ୍ନା ହିରୋ କାହ୍ନୁ, ତପନ କାଣ୍ଡୀ, ଚିକୁଲୁ ମୁଦୁଲି ଓ ରାନି ସ୍ୱାଇଁ ପ୍ରମୁଖ ସହାୟତା ସଂଗ୍ରହ ପାଇଁ ଆଗେଇ ଆସିଛନ୍ତି। ସେମାନେ ନାଉଗାଁ ବ୍ଲକ୍ଛକ, ବଜାର, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟ ବୁଲି ବ୍ୟବସାୟୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଭେଟି ତ୍ରିଶିକାଙ୍କ ଚିକିତ୍ସା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ବିଭିନ୍ନ ମହଲରୁ ଏଯାବତ୍ ୪୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ସହାୟତା ମିଳିଥିବା ସମାଜସେବୀ ଦୀପକ କାଳିଆ କହିଛନ୍ତି। ସଂଗୃହୀତ ଅର୍ଥ ତ୍ରିଶିକାଙ୍କ ପରିବାରକୁ ଭେଟି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


