ଜୁଆ ଖେଳରେ ପୋଲିସ ଚଢଉ : ୪ ଦିନରେ ୧୫ ଜୁଆଡ଼ି ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ପୁଲିସ ଆଶ୍ୱିନ କୁମାର ପୂର୍ଣ୍ଣମୀ ଅବ୍ୟବହିତ ପୂର୍ବରୁ ୪ ଦିନ ମଧ୍ୟରେ ୩ ଟି ଜୁଆଖେଳ ର ଅତର୍କିତ ଚଢାଉ କରି ୧୫ ଜୁଆଡ଼ି ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ସମୁଦାୟ ୮୭,୭୫୦ ଟଙ୍କା,୩ ପ୍ୟାକେଟ ତାସ୍ ଓ ଜରିପାଲ ଜବତ କରିଥିବା ଜଣାପଡିଛି।ଶନିବାର ରାତିରେ ଅନନ୍ତେଇ ଗ୍ରାମରେ ଚାଲିଥିବା ଚାଲିଥିବା ଜୁଆଖେଳ ଉପରେ ଦିଗପହଣ୍ଡି ପୁଲିସ ଟିମ୍ ଚଢାଉ କରିଥିଲେ।ପୋଲିସ କୁ ଦେଖି ଜୁଆଡି ମାନେ ଦୌଡ଼ି ପଳାଉଥିବା ବେଳେ ୪ ଜଣଙ୍କୁ ପୁଲିସ ମାଡ଼ି ବସିଥିଲେ।ସେମାନଙ୍କ ନିକଟରୁ ୨୦,୧୦୦ ଟଙ୍କା,ତାସ ପ୍ୟାକେଟ ଓ ଜରିପାଲ ଜବତ କରି ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣିଥିଲେ।ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ବିରୋଧରେ ୪୫୦/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି।ସେହିପରି ଗତ ଗୁରୁବାର ରାତିରେ ସିଦ୍ଧେଶ୍ୱର ଗ୍ରାମରେ ଚାଲିଥିବା ଜୁଆଖେଳ ରେ ପୁଲିସ ଚଢ଼ାଉ କରି ୪ ଜଣ ଜୁଆଡି ଙ୍କୁ ଧରିଥିବା ବେଳେ ଅନ୍ୟମାନେ ଦୌଡ଼ି ପଳାଇଥିଲେ। ସେଠାରୁ ପୁଲିସ ୨୭,୧୦୦ ଟଙ୍କା,ତାସ ପ୍ୟାକେଟ ଜବତ କରିଥିଲେ।ଅଭିଯୁକ୍ତ ମାନଙ୍କ ନାଁ ରେ ୪୪୬/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ସେହିପରି ଗତ ବୁଧବାର ରାତି ପ୍ରାୟ ୯ ଟାରେ ଭୀଷ୍ମଗିରି ଗ୍ରାମ ଓଷାକୋଠୀ ମନ୍ଦିର ନିକଟରେ ଚାଲିଥିବା ଜୁଆଖେଳ ଉପରେ ଦିଗପହଣ୍ଡି ଥାନା ଏସ.ଆଇ ମହାପ୍ରସାଦ ମହାନ୍ତି ସଦଳବଳେ ଅତର୍କିତ ଚଢ଼ଉ କରି ୭ ଜଣ ଜୁୁଆଡ଼ି ଙ୍କୁ ଗିରଫ କରିଥିବା ବେଳେ କିଛି ଜୁଆଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି।ଗିରଫ ଜୁଆଡି ମାନଙ୍କ ଠାରୁ ୪୦ ହଜାର ୫୫୦ ଟଙ୍କା ,ତାସମୁଠା ଜବତ କରାଯାଇ ମାମଲା ନଂ.୪୪୪/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା। ଜୁଆ ଖେଳ ରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ସେମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା-୩୫(୩) ଅନୁଯାୟୀ ନୋଟିସ ଦିଆଯିବା ସହ କୋର୍ଟ ରେ ହାଜର ହେବା ନେଇ ସର୍ତ୍ତ ମୂଳକ ଜାମିନରେ ଛଡାଯାଇଥିବା ଆଇଆଇସି କହିଛନ୍ତି। ଗଞ୍ଜାମ ଜିଲ୍ଲା ର ପ୍ରାୟ ସମସ୍ତ ଗାଁ ମାନଙ୍କରେ ଆଶ୍ୱିନ ମାସ ଦଶହରା ପୂର୍ବରୁ ଦୀପାବଳୀ ବିଶେଷକରି କାର୍ତ୍ତିକ ପୂର୍ଣ୍ଣିମା ଛାଡ଼ଖାଇ ପର୍ଯ୍ୟନ୍ତ ଲୋକେ ଲକ୍ଷ ଲକ୍ଷ ଟଙ୍କା ବାଜି ଲଗାଇ ଜୁଆ ଖେଳିଥାନ୍ତି। ସ୍ଥଳ ବିଶେଷରେ ଜୁଆଖେଳ କୁ ନେଇ ଆକ୍ରମଣ – ପ୍ରତି ଆକ୍ରମଣ ହେବା ମଧ୍ୟ ନଜିର ରହିଛି।ଆଇନକୁ ଖୋଲା ଚ୍ୟାଲେଞ୍ଜ ଦେଇ ରାଜନୈତିକ ପୃଷ୍ଠ ପୋଷକତା ରେ କିଛି ପେଶାଦାର ଅପରାଧୀ ଯୋଜନାବଦ୍ଧ ଭାବେ ସୁବ୍ୟବସ୍ଥିତ ଢଙ୍ଗରେ ବଡ଼ ଧରଣର ଜୁଆ ଆଡ୍ଡା ପରିଚାଳନା କରି ପାଲି ନାଁ ରେ ବିପୁଳ ଅର୍ଥ ଆଦାୟ କରୁଛନ୍ତି। ଏନେଇ ଜଣେ ପୁଲିସ ଅଧିକାରୀ ଙ୍କୁ ପଚାରିବାରୁ ପରମ୍ପରା କୁ ଦ୍ୱାହି ଦେଇ ପୂର୍ବ ପ୍ରସ୍ତୁତି ପ୍ରକାରେ ସଙ୍ଗଠିତ ହୋଇ ଲକ୍ଷ ଲକ୍ଷ ଟଙ୍କା ବାଜି ଲଗାଇ ଜୁଆ ଖେଳିବା ଅପରାଧ। ଯେଉଁମାନେ ଜୁଆ ଖେଳରେ ସମ୍ପୃକ୍ତ ରହୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ର ବିଭିନ୍ନ ଦଫା ଅନୁଯାୟୀ ସେମାନଙ୍କୁ ଗିରଫ କରାଯାଇ ଆବଶ୍ୟକ ହେଲେ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି।ଏପରିକି ସର୍ବସାଧାରଣ ସ୍ଥାନରେ କିମ୍ବା ଘର, ଲଜିଂ, ଡାକବଙ୍ଗଳା,ପାନ୍ଥ ନିବାସ ମାନଙ୍କରେ ଯେ କେହି ସଙ୍ଗଠିତ ଭାବେ ଜୁଆ ଖେଳିଲେ ପୁଲିସ କୌଣସି ପ୍ରକାରେ ବରଦାସ୍ତ ନକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି।


