ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପୂର୍ବଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ
ଛତ୍ରପୁର, (ଓ୍ବାଇଏନଏସ): ସ୍ଥାନୀୟ ଶ୍ରୀରାମ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୂର୍ବଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବଛାତ୍ରୀମାନଙ୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ପରିବେଷଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସୁରେଶ କୁମାର ଆଚାରୀ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ ଶିକ୍ଷା ବିକାଶ ସମିତି, ଓଡ଼ିଶାର କୋଷାଧ୍ୟକ୍ଷ ସତ୍ୟନାରାୟଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ପୂର୍ବଛାତ୍ର ପରିଷଦ କେବଳ ବନ୍ଧୁମିଳନର ମଞ୍ଚ ନୁହେଁ; ଏହା ଗୁରୁ-ଶିଷ୍ୟ ସମ୍ପର୍କକୁ ଅଧିକ ନିବିଡ଼ କରିବା ସହ ନୂତନ ପିଢ଼ିର ଛାତ୍ରଛାତ୍ରୀଙ୍କୁ ଅନୁଭୂତି ଓ ଅଭିଜ୍ଞତା ମାଧ୍ୟମରେ ପ୍ରେରଣା ଦେବାର ଏକ ଉତ୍ତମ ମାଧ୍ୟମ। ଭାରତର ଗୌରବମୟ ପରମ୍ପରା, ଭାରତୀୟ ସଂସ୍କୃତି ଓ ନୈତିକ ମୂଲ୍ୟବୋଧକୁ ଆଗକୁ ବଢ଼ାଇବାରେ ପୂର୍ବଛାତ୍ର ପରିଷଦ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ କରିପାରିବ। ହାଇକୋର୍ଟ ଓକିଲ ତଥା ଅନୁଷ୍ଠାନର ସଭାପତି ପଦ୍ମଚରଣ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ ଯେ, ବିଦ୍ୟାଳୟର ପୂର୍ବଛାତ୍ରଛାତ୍ରୀଙ୍କୁ ଏକ ସୂତ୍ରରେ ବାନ୍ଧିବା ସହ ବିଦ୍ୟାଳୟର ଉନ୍ନତି ଏବଂ ସର୍ବୋପରି ଏକ ଉତ୍ତମ ଓ ସୁସ୍ଥ ସମାଜ ଗଠନରେ ସେମାନଙ୍କ ସହଯୋଗ ସୁନିଶ୍ଚିତ କରିବା ହେଉଛି ପୂର୍ବଛାତ୍ର ପରିଷଦର ମୁଖ୍ୟ ଉଦ୍ଦେଶ୍ୟ। ବିଦ୍ୟାଳୟର ପୂର୍ବଛାତ୍ର ସଭାପତି ଜି. ଦିଲ୍ଲିକେଶ୍ୱର ରାଓ ସମସ୍ତଙ୍କ ସହଯୋଗ, ସମର୍ପଣ ଓ ଏକତା ମାଧ୍ୟମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଛତ୍ରପୁରର ଶୈକ୍ଷିକ ଉନ୍ନତି ସହ ସାମାଜିକ ପ୍ରତିଷ୍ଠାକୁ ଆହୁରି ଉଚ୍ଚସ୍ତରକୁ ନିଆଯାଇପାରିବ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ପୂର୍ବଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟର ସ୍ମୃତିଚାରଣ କରିବା ସହ ନିଜ ନିଜର ଅନୁଭୂତି ବଖାଣିଥିଲେ। ବରିଷ୍ଠ ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବଛାତ୍ର ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା ଏବଂ ଗୁରୁଜୀ-ଗୁରୁମାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ‘ବନ୍ଦେ ମାତରମ୍’ ଗାନ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।


