ଗୋ ସମ୍ମାନ ଆହ୍ୱାନ ଅଭିଯାନ ପକ୍ଷରୁ ପ୍ରାର୍ଥନା ପତ୍ର ପ୍ରଦାନ
ଆସିକା (ୱାଇଏନ୍ଏସ୍): ଗୋମାତାକୁ ରାଷ୍ଟ୍ରମାତାର ମୌଳିକ ଅଧିକାର ପ୍ରଦାନ ସମେତ ଅନ୍ୟାନ୍ୟ କେତେକ ଦାବୀ ପୂରଣ ଲାଗି ଗୋ ସମ୍ମାନ ଆହ୍ୱାନ ଅଭିଯାନ ଗଞ୍ଜାମ ଜିଲ୍ଲା ଆସିକା ଶାଖା ପକ୍ଷରୁ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ଦସ୍ତଖତ ସମ୍ବଳିତ ପ୍ରାର୍ଥନା ପତ୍ର ଭାରତର ମହାମହିମ ରାଷ୍ଟ୍ରପତି, ଭାରତର ପ୍ରଧାନମନ୍ତ୍ରୀ, ଓଡିଶାର ରାଜ୍ୟପାଳ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ସଙ୍ଗୀତା ସେଣଙ୍କ ଜରିଆରେ ପ୍ରେରଣ କରାଯାଇଥିବା ଜଣାପଡିଛି । ଗୋ ସମ୍ମାନ ଆହ୍ୱାନ ଅଭିଯାନର କାର୍ଯ୍ୟକର୍ତ୍ତା, ଗୋ ପ୍ରେମୀ ଓ ଶ୍ରଦ୍ଧାଳୁ ଆଧ୍ୟାତ୍ମିକପ୍ରେମୀମାନେ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ତାଲୁକା ଛକ ସ୍ଥିତ ପ୍ରସିଦ୍ଧ ଶୈବପୀଠ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ଏକତ୍ରିତ ହୋଇ ଘଣ୍ଟମୃଦଙ୍ଗର ତାଳେତାଳେ ଏକ ଶୋଭାଯାତ୍ରାରେ ଆସିକା ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚି ପ୍ରାର୍ଥନା ପତ୍ର ପ୍ରଦାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଗୋମାତାକୁ ଉପଯୁକ୍ତ ଅନୁସନ୍ଧାନ ଓ ଅନୁଦାନ ପ୍ରଦାନ, ଭାରତରୁ ଗୋହତ୍ୟା ସଂପୁର୍ଣ୍ଣ ଭାବେ ସମାପ୍ତ, ଗୋମାତାକୁ ରାଷ୍ଟ୍ରମାତାର ମୌଳିକ ଅଧିକାର ପ୍ରଦାନ, ଗୋସେବା ପାଇଁ କେନ୍ଦ୍ରୀୟ ନିୟମ ପ୍ରଣୟନ କାର୍ଯ୍ୟକାରୀ କରିବା, ଗୋବର ଓ ଗୋମୂତ୍ରକୁ ନେଇ କୃଷି ବୈଷୟିକ ବିଦ୍ୟାଳୟ ଗୁଡିକରେ ବୃହତ୍ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା କରିବା, ଗୋମାତାର କ୍ଷୀର, ଦହି, ଘିଅ, ଗୋବର ଓ ଗୋମୂତ୍ରକୁ ପ୍ରୋତ୍ସାହନ ବ୍ୟବସ୍ଥା କରିବା, ଆୟୁର୍ବେଦ ଚିକିତ୍ସାଳୟ ଗୁଡିକରେ ପଞ୍ଚଗବ୍ୟ ମିଶ୍ରିତ ଔଷଧକୁ ମାଗଣାରେ ପ୍ରଦାନ କରିବା ସମେତ ଅନ୍ୟାନ୍ୟ ବହୁବିଧ ଦାବୀ ପୂରଣ ଲାଗି ପ୍ରାର୍ଥନା ପତ୍ର ପ୍ରଦାନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଗୋ ସମ୍ମାନ ଆହ୍ୱାନ ଅଭିଯାନ ଆସିକା ଶାଖାର ସକ୍ରିୟ ସଦସ୍ୟ ହରିହର ପାଢୀ ଓ ବିମ୍ବାଧର ପାତ୍ର ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିବରାମ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସ୍ମାରକପତ୍ର କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକପ୍ରେମୀ ରାଧାକୃଷ୍ଣ ପାଣିଗ୍ରାହୀ, ଯୋଗେନ୍ଦ୍ରନାଥ ପ୍ରଧାନ, ବୃନ୍ଦାବନ ବେହେରା, ପ୍ରମୋଦ କୁମାର ମହାନ୍ତି, ରାଘବ ସିୟ, ଇ.ଭେଙ୍କେଟ ରମଣ ପାତ୍ର, ଅନିଲ୍ କୁମାର ସ୍ୱାଇଁ, ଗୟାଚାନ୍ଦ ନାୟକ, ବିଜୟ କୁମାର ଜେନା, ବିପ୍ରଚରଣ ବେହେରା, ବ୍ରଜବନ୍ଧୁ ଆଚାରୀ, ପ୍ରମୋଦ କୁମାର ଶତପଥୀ, ବସନ୍ତ କୁମାର ବିଶ୍ୱାଳ, ପ୍ରଶାନ୍ତ କୁମାର ଦାଶ, ସୁନିଲ୍ କୁମାର ଦଳେଇଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା, ସଚେତନ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


