ନାଉଗାଁ ଫେଷ୍ଟିଭାଲ-୨୦୨୬ ପାଇଁ ପ୍ରସ୍ତୁତି ବୈଠକ
ନାଉଗାଁ ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ଗ୍ରାମର ଚଗଲି ଦାସ ମଠ ପଡିଆ, ମଣିକର୍ଣ୍ଣିକା ଘାଟ ପରିସରରେ ନାଉଗାଁ ଫେଷ୍ଟିଭାଲ-୨୦୨୬ ଆୟୋଜନକୁ ସଫଳ ଓ ସୁଚାରୁ ଭାବେ କରିବା ପାଇଁ ଏକ ବ୍ୟାପକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଫେଷ୍ଟିଭାଲ କମିଟି ସଭାପତି ଡ଼ା ଚୌଧୁରୀ ସତ୍ୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଆଗାମୀ ଉତ୍ସବର ବିଭିନ୍ନ ପ୍ରସ୍ତୁତି, ପରିଚାଳନା ଓ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ କମିଟିର ସମ୍ପାଦକ ଧନଞ୍ଜୟ ପରିଜା, ସାଂସ୍କୃତିକ ସମ୍ପାଦକ ସୁକାନ୍ତ କୁମାର ଲେଙ୍କା, ନିରଞ୍ଜନ ମହାନ୍ତି, ଉପସଭାପତି ଶଶାଙ୍କ ଶେଖର ସ୍ୱାଇଁ, ସଂଗଠନ ସଂପାଦକ ମନୋଜ କୁମାର ନାୟକ, ଅଭିମନ୍ୟୁ ସାହୁ, ତ୍ରିନାଥ ପରିଜା, ଦେବଜ୍ୟୋତି ମହାନ୍ତି, ବିବେକାନନ୍ଦ ପରିଜା, ସରୋଜ କୁମାର ଲେଙ୍କା, ନିରଞ୍ଜନ ଦାଶଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ସକ୍ରିୟ ଭାବେ ଉପସ୍ଥିତ ରହି ନିଜ ମତାମତ ପ୍ରକାଶ କରିଥିଲେ। ଉତ୍ସବକୁ ଆହୁରି ଆକର୍ଷଣୀୟ ଓ ଲୋକପ୍ରିୟ କରିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଓ ସମନ୍ୱୟ ଦେଖିବାକୁ ମିଳିଥିଲା। ବୈଠକରେ ସର୍ବସମ୍ମତିକ୍ରମେ ଆସନ୍ତା ମେ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଫେଷ୍ଟିଭାଲ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ପାଞ୍ଚଦିନିଆ ଉତ୍ସବରେ ରାଜ୍ୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରସିଦ୍ଧ କଳାକାରମାନଙ୍କ ଅଭିନୟ, ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା, ବିଭିନ୍ନ ପ୍ରକାରର ଖାଦ୍ୟ ମେଳା, ମିନା ବଜାର, ଦୋଳି ସହିତ ଗୃହୋପକରଣ ଓ ଅନ୍ୟାନ୍ୟ ବ୍ୟବସାୟିକ ଷ୍ଟଲ୍ ଲୋକମାନଙ୍କ ପାଇଁ ବିଶେଷ ଆକର୍ଷଣ ହେବ ବୋଲି ମତ ରଖିଥିଲେ |


