ଚୌଦ୍ବାର ଜେଲ୍କୁ ଫେରିଲା କଏଦୀ ମଧୁକାନ୍ତ ରଣା , ପୁଣି ରିମାଣ୍ଡ ଆସିପାରେ
କଟକ, (ଓ୍ବାଇଏନଏସ): ଚୌଦ୍ବାର ଜେଲ୍ରୁ କଏଦୀ ଫେରାର ଘଟଣା। ସରିଲା ଅଭିଯୁକ୍ତ ମଧୁକାନ୍ତ ରଣାର ରିମାଣ୍ଡ ଅବଧି। କୋର୍ଟରେ ହାଜର ପରେ ଜେଲ୍ ଫେରିଲା ମଧୁକାନ୍ତ ରଣା। ଜେଲ୍ରୁ ଫେରାର ଘଟଣାରେ ଅଭିଯୁକ୍ତ ବୃନ୍ଦାବନରୁ ଗିରଫ ହୋଇଥିଲା। ମଧୁକାନ୍ତ ରଣାକୁ ବାନ୍ଧିଥିଲା ସ୍ପେଶାଲ ସ୍କ୍ବାର୍ଡ। ତାକୁ ୬ ଦିନିଆ ରିମାଣ୍ଡରେ ନେଇଥିଲା ପୁଲିସ। ତେବେ ଫେରାର ବେଳର ଏହି ସବୁ ଦୃଶ୍ୟକୁ ରିକ୍ରିଏଟ୍ କରିବା ପାଇଁ ତଦନ୍ତକାରୀ ଟିମ୍ ଚାହୁଁଥିଲା । ଏନେଇ ଜେଲ ଅନୁମତି ମଧ୍ୟ ମଗାଯାଇଥିଲା । ହେଲେ ସୁରକ୍ଷା ଦୃଷ୍ଟିରୁ ଜେଲ୍ ପକ୍ଷରୁ ଅନୁମତି ଦିଆଗଲାନି । ଦୁର୍ଗାପୂଜା ଜେଲ୍ ଭିତରେ ଧୂମ୍ଧାମରେ ପାଳନ ହୁଏ । ତେଣୁ ଏହି ଦିନ ଜେଲରୁ ଖସିବାକୁ ପ୍ରାୟ ୧୫ ଦିନ ପୂର୍ବରୁ ତାରିଖ ସ୍ଥିର କରିଥିଲେ । ସେହି ଅନୁସାରେ ଦଶହରା ଦିନ ଅର୍ଥାତ୍ ଅକ୍ଟୋବର ୨ ତାରିଖ ରାତି ପ୍ରାୟ ସାଢ଼େ ୧ଟା ବେଳେ ସେଲ୍ କାଟି ରାଜା ବାହାରି ଆସିଥିଲା । ପରେ ମଧୁକାନ୍ତକୁ ତାର ସେଲ୍ ଭିତରୁ ବାହାର କଲା । ମଧୁକାନ୍ତ ରହୁଥିବା ସେଲ୍ର ଅଧା କଟା ରଡ୍କୁ ରାଜା ମୋଡ଼ି ବଙ୍କା କଲା ଓ ଭିତରୁ ମଧୁକାନ୍ତ ବାହାରିଲା । ଏହି ସମୟରେ ଜେଲ୍ର ସବୁ ୱାର୍ଡର-କର୍ମଚାରୀ ନିଘୋଡ଼ ନିଦରେ ଶୋଇଥିଲେ । ସେହି ରାତିରେ ଚିରିଥିବା କମ୍ବଳ, କିଛି ପ୍ୟାଣ୍ଟ୍କୁ ଦୁହେଁ ଅଣ୍ଟାରେ ଗୁଡ଼ାଇ କାନ୍ଥ କଡ଼ରେ ଚାଲିଚାଲି ପ୍ରଥମ ବା ଇନର୍ ପାଚେରି ପାଖରେ ପହଞ୍ଚିଲେ । ଏହାର ଉଚ୍ଚତା କମ୍ ଥିବାରୁ ସହଜରେ ତାକୁ ଡେଇଁଗଲେ । ଏହା ପରେ ବାହାର ପାଚେରି ଉପରକୁ କମ୍ବଳ-ପ୍ୟାଣ୍ଟରେ ତିଆରି ଦଉଡ଼ି ପକାଇ ପ୍ରଥମେ ମଧୁକାନ୍ତ ଓ ପରେ ରାଜା ଆରପଟକୁ ଡେଇଁଥିଲେ । ଏହି ସମୟରେ ପାଚେରିରେ ଲାଗିଥିବା ତାର ଜାଲିରେ ରାଜାର ପାଦ ଓ ଜଂଘ କଟିଯାଇଥିଲା । ପୁଲିସ ରିମାଣ୍ଡରେ ଥିବା ବେଳେ ଏଭଳ କିଛି ତଥ୍ୟ ଓଗାଳିଛି ବିହାରୀ ଅପରାଧୀ ମଧୁକାନ୍ତ କୁମାର ରାଣା । ରବିବାର ଜେରା ସହ ମଧୁକାନ୍ତର ରିମାଣ୍ଡ ଶେଷ ହୋଇଛି ଓ ସୋମବାର ତାକୁ କୋର୍ଟରେ ହାଜର କରାଯାଇଥିଲା। ଏବେ ମଧୁକାନ୍ତ ରଣା ଚୌଦ୍ବାର ଜେଲ୍କୁ ଫେରିଛି। ମଧୁକାନ୍ତକୁ ଜେରା ବେଳେ ମିଳିଥିବା ତଥ୍ୟ ଅନୁଯାଇ, ଜେଲ୍ରେ ପ୍ରତିଦିନ ସକାଳ ୮ରୁ ୯ଟା ଯାଏ ସବୁ ବିଚାରାଧୀନ ବନ୍ଦୀ ସେଲ୍ରୁ ବାହାରକୁ ଆସିଥାନ୍ତି । ଏହି ସମୟରେ ରାଜା ଓ ମଧୁକାନ୍ତ ନିଜ ଭିତରେ କଥା ହୋଇ ଖସିବାର ପ୍ଲାନ୍ କରୁଥିଲେ । ଜଣେ କର୍ମଚାରୀଠାରୁ ପାଇଥିବା ଆରିକୁ ଉଭୟ ପରସ୍ପର ଭିତରେ ବଦଳାଇ ସେଲ୍ କାଟୁଥିଲେ । କଟୁଥିବା ଲୁହା ରଡ୍ର କଟାଚିହ୍ନକୁ ଲୁଚାଇବାକୁ ଦୁହେଁ ଜଳୁଥିବା ମଶାବତିର ଗୁଣ୍ଡ ଓ କିଛି ଚିନିକୁ ପାଣିକରି ଏକ ଅଠା ଭଳି କରି ସେଠାରେ ମାରୁଥିଲେ । ଏହା ଦ୍ୱାରା ଉକ୍ତ ରଡ୍ର କଟା ଅଂଶ ବାହରକୁ ଦେଖାଯାଉନଥିଲା । ସେଲ୍ ସମ୍ମୁଖ ସିସିଟିଭିକୁ ମଧୁକାନ୍ତ ଫେରାର୍ ହେବାର ପ୍ରାୟ ସପ୍ତାହେ ପୂର୍ବରୁ କାନ୍ଥ ଉପରକୁ ମୋଡ଼ିଦେଇଥିଲା । ଜେଲ୍ ଭିତରେ କିଛି ୱାର୍ଡର ରାଜା ଓ ମଧୁକାନ୍ତକୁ ହଇରାଣ କରୁଥିଲେ । କିଛି ୱାର୍ଡର ଡ୍ୟୁଟିରେ ଢ଼ିଲା ମାରୁଥିଲେ । ତେଣୁ ହଇରାଣ କରୁଥିବା ୱାର୍ଡରଙ୍କ ଡ୍ୟୁଟି ସମୟରେ ଖସିବେ ବୋଲି ପ୍ଲାନ୍ କରିଥିଲେ । ମାତ୍ର ପ୍ଲାନ୍ ମୁତାବକ ତାହା ସମ୍ଭବ ହେଲାନି । ଭିନ୍ନ ୱାର୍ଡରଙ୍କ ଡ୍ୟୁଟି ସମୟରେ ଦୁହେଁ ଖସିଲେ ।ତେବେ ଫେରାର ବେଳର ଏହି ସବୁ ଦୃଶ୍ୟକୁ ରିକ୍ରିଏଟ୍ କରିବା ପାଇଁ ତଦନ୍ତକାରୀ ଟିମ୍ ଚାହୁଁଥିଲା । ଏନେଇ ଜେଲ୍ ଅନୁମତି ମଧ୍ୟ ମଗାଯାଇଥିଲା । ହେଲେ ସୁରକ୍ଷା ଦୃଷ୍ଟିରୁ ଜେଲ୍ ପକ୍ଷରୁ ଅନୁମତି ଦିଆଗଲାନି । ରବିବାର ଥିଲା ରିମାଣ୍ଡର ଶେଷ ବା ଷଷ୍ଠ ଦିନ । ଏହା ମଧ୍ୟରେ ମଧୁକାନ୍ତଠାରୁ ଜେଲ୍ରୁ ଖସିବା, ରାଜ୍ୟ ବାହରକୁ ଯିବା, ବାହାରେ ବୁଲିବା, ରାଜାର ହରକତ, ଗ୍ୟାଙ୍ଗ୍ର କାରନାମା ଓ ସହଯୋଗ କରିଥିବା ବ୍ୟକ୍ତିଙ୍କ ବିଷୟରେ ପୁଲିସ ଟିମ୍ ଅନେକ ତଥ୍ୟ ପାଇଛି । ସିନ୍ ରିକ୍ରିଏସନ୍ରୁ ବି ଫେରାର୍ର ଏକ ତଥ୍ୟ ପୁଲିସ ପାଇପାରିଛି । ଏସବୁ ତଥ୍ୟକୁ ଏକାଠି ପୁଲିସ ଫେରାର ଥିବା ଅନ୍ୟତମ ଅପରାଧୀ ରାଜାକୁ ଧରିବା ପାଇଁ ପ୍ଲାନ୍ ପ୍ରସ୍ତୁତ କରୁଛି । ରାଜ୍ୟ ବାହାରୁ ଆସୁଥିବା ଗୁଇନ୍ଦା ତଥ୍ୟକୁ ମଧ୍ୟ ପୁଲିସ କାମରେ ଲଗାଉଛି । ଚଳିତ ସପ୍ତାହରେ ରାଜାକୁ ଧରିବା ପାଇଁ ପୁଲିସ ପକ୍ଷରୁ ଆଉ ଏକ ଅଭିଯାନ ଆରମ୍ଭ ହେବ ବୋଲି କୁହାଯାଉଛି । ସମ୍ଭବତଃ ଏଥିରେ ମଧୁକାନ୍ତଠାରୁ ଆଉ କିଛି ତଥ୍ୟ ‘ରିଏଲ୍ ଟାଇମ୍’ରେ ଆବଶ୍ୟକ ପଡ଼ିବ । ତେଣୁ ମଧୁକାନ୍ତକୁ ଜେଲ୍ ଫେରାଇବା ପରେ ପୁନଶ୍ଚ ରିମାଣ୍ଡ ପାଇଁ କୋର୍ଟଙ୍କ ପାଖରେ ଆବେଦନ ହେବ । ମାତ୍ର ମଧୁକାନ୍ତକୁ ଜେଲ୍ରୁ ଅଣାଯିବନି । ଯେଉଁଦିନ ଆବଶ୍ୟକ ପଡ଼ିବ ସେହିଦିନ ରିମାଣ୍ଡରେ ଆଣି ପୁଲିସ ଜେରା କରିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଚୌଦ୍ୱାର ସର୍କଲ୍ ଜେଲ୍ ଅଧୀକ୍ଷକ ସୁଜିତ ରାଉଳ ଓ ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ପରସ୍ପର ବିରୋଧରେ ଦେଇଥିବା ଏତଲାରେ ଆଧାରରେ ପୁଲିସ ଉଭୟ ପକ୍ଷଙ୍କୁ ନୋଟିସ୍ ଦେଇଥିଲା। ଉଭୟଙ୍କୁ କିଛି ତଥ୍ୟ ପ୍ରଦାନ କରିବାକୁ ପୁଲିସ କହିଥିଲା । ମାତ୍ର ଏଯାବତ କେହି କିଛି ତଥ୍ୟ ପ୍ରମାଣ ଦେଇନାହାନ୍ତି ବୋଲି ଚୌଦ୍ୱାର ଥାନା ପକ୍ଷରୁ ସୂଚନା ଦିଆଯାଇଛି ।


