କେନ୍ଦୁଝର ମାଇନର୍ସକୁ ୨ ୱିକେଟ୍ରେ ହରାଇଲା ପୁରୀ ଟାଇଟାନ୍ସ
କଟକ,(ଓ୍ବାଇଏନଏସ): ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍–ସିଏମ୍ ଟ୍ରଫିରେ ଶନିବାର ବାରବାଟୀ ଷ୍ଟାଡିୟମ୍ରେ ରୋମାଞ୍ଚକର ମୁକାବିଲାରେ କେନ୍ଦୁଝର ମାଇନର୍ସକୁ ୨ ୱିକେଟ୍ରେ ପରାସ୍ତ କରିଛି ପୁରୀ ଟାଇଟାନ୍ସ। ଶେଷ ମୁହୂର୍ତ୍ତରେ ଆଶୀର୍ବାଦ ସ୍ୱାଇଁ ଧୈର୍ଯ୍ୟ ଓ ସଂଯମର ସହ ବ୍ୟାଟିଂ କରି ପୁରୀକୁ ରୋମାଞ୍ଚକ ବିଜୟ ଦେଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା କେନ୍ଦୁଝର ମାଇନର୍ସ ଆରମ୍ଭରୁ ଚାପରେ ରହିଥିଲା। ମାତ୍ର ୩ ଓଭର ମଧ୍ୟରେ ଦଳ ୧୯ ରନ୍ରେ ୩ଟି ୱିକେଟ୍ ହରାଇଥିଲା। ହର୍ଷିତ ରାଠୋଡ୍ ଓ ସୁନିଲ ରାଉଳ ପ୍ରାରମ୍ଭିକ ଝଟକା ଦେଇଥିବା ବେଳେ ସର୍ବେଶ୍ୱର ମହାନ୍ତି ମଧ୍ୟ ନିୟମିତ ୱିକେଟ୍ ନେଇ କେନ୍ଦୁଝର ଉପରେ ଚାପ ବଜାୟ ରଖିଥିଲେ। ସର୍ବେଶ୍ୱର ୪ ଓଭରରେ ୩୦ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ସୁନିଲ ରାଉଳ ୨୯ ରନ୍ରେ ୩ଟି ଏବଂ ହର୍ଷିତ ରାଠୋଡ୍ ୨୦ ରନ୍ ଦେଇ ୨ଟି ୱିକେଟ୍ ଅକ୍ତିଆର କରିଥିଲେ। ତେବେ ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟରଙ୍କ ଉପଯୋଗୀ ଅବଦାନ ଯୋଗୁଁ କେନ୍ଦୁଝର ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା। ସୁଭ୍ରାଂଶୁ ସେନାପତି ୩୨ ବଲ୍ରୁ ୩୧ ରନ୍ କରିଥିବା ବେଳେ ପ୍ରକାଶ ସିଂହ ୧୯ ବଲ୍ରୁ ଦ୍ରୁତ ୩୩ ରନ୍ କରିଥିଲେ। ଶେଷ ଆଡ଼କୁ ଭାଗୀଶ ଶର୍ମା ୧୨ ବଲ୍ରୁ ଅପରାଜିତ ୨୩ ରନ୍ କରିବାରୁ କେନ୍ଦୁଝର ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୦ ରନ୍ କରିଥିଲା। ୧୪୧ ରନ୍ର ବିଜୟଲକ୍ଷ୍ୟର ପିଛା କରି ପୁରୀ ଟାଇଟାନ୍ସ ମଧ୍ୟ ଆରମ୍ଭରୁ ସହଜରେ ଖେଳିପାରିନଥିଲା। ନିୟମିତ ବ୍ୟବଧାନରେ ୱିକେଟ୍ ପଡ଼ିବାରୁ ଦଳ ଚାପରେ ରହିଥିଲା। ୧୮ତମ ଓଭରରେ ପୁରୀ ୮ ୱିକେଟ୍ ହରାଇ ୧୧୩ ରନ୍ରେ ପହଞ୍ଚିଥିବା ବେଳେ ବିଜୟ ପାଇଁ ଆହୁରି ରନ୍ ଆବଶ୍ୟକ ଥିଲା। ପଙ୍କଳା ଶଶାଙ୍କ ୪୨ ବଲ୍ରୁ ଧୈର୍ଯ୍ୟପୂର୍ଣ୍ଣ ୪୭ ରନ୍ କରି ଦଳର ଇନିଂସ୍କୁ ସମ୍ଭାଳିଥିଲେ। କେନ୍ଦୁଝର ପକ୍ଷରୁ ଜମାଲା ମହାପାତ୍ର ଘାତକ ବୋଲିଂ କରି ୪ ଓଭରରେ ମାତ୍ର ୯ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ତାଙ୍କ ଚମତ୍କାର ସ୍ପେଲ୍ ଯୋଗୁଁ ଶେଷ ଓଭର ପୂର୍ବରୁ କେନ୍ଦୁଝର ବିଜୟ ଆଶାରେ ଥିଲା। ଶେଷ ଓଭରରେ ପୁରୀକୁ ବିଜୟ ପାଇଁ ୧୫ ରନ୍ ଆବଶ୍ୟକ ଥିଲା। ଏଭଳି ଚାପପୂର୍ଣ୍ଣ ସ୍ଥିତିରେ ଆଶୀର୍ବାଦ ସ୍ୱାଇଁ ନିଜର ସଂଯମ ବଜାୟ ରଖି ଆବଶ୍ୟକ ରନ୍ ସଂଗ୍ରହ କରି ପୁରୀକୁ ୨ ୱିକେଟ୍ରେ ରୋମାଞ୍ଚକ ବିଜୟ ଦେଇଥିଲେ। ବିଜୟ ପରେ ଆଶୀର୍ବାଦ କହିଥିଲେ, “ପ୍ରଥମ ବିଜୟ ହାସଲ କରି ବହୁତ ଖୁସି। ଆମର ଆରମ୍ଭ ଭଲ ହୋଇଛି ଏବଂ ଦଳ ପାଇଁ ଅବଦାନ ଦେଇପାରିଥିବାରୁ ମୁଁ କୃତଜ୍ଞ।” ଆଶୀର୍ବାଦ ସ୍ୱାଇଁଙ୍କୁ ‘ପ୍ଲେୟର ଅଫ୍ ଦ ମ୍ୟାଚ୍’ ପୁରସ୍କାର ମିଳିଥିଲା। ଭାରତ ମସଲାର ନିର୍ଦ୍ଦେଶକ ତଥା କଟକ ପାନ୍ଥର୍ସର ମାଲିକ ଶ୍ରୀମନ୍ତ ପଣ୍ଡା ତାଙ୍କୁ ପୁରସ୍କୃତ କରିଥିଲେ। ସେହିପରି ସର୍ବେଶ୍ୱର ମହାନ୍ତିଙ୍କୁ ‘ମୋମେଣ୍ଟ ଅଫ୍ ଦ ମ୍ୟାଚ୍’ ପୁରସ୍କାର ମିଳିଥିଲା। ଜିଉସ୍ ୱାର୍ଲ୍ଡକାଷ୍ଟ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଗୁଲଶନ୍ ଝୁରାନୀ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।


