ସାଳନ୍ଦୀ ନଦୀରେ ଅତଡ଼ା ଖସି ୪ ପରିବାରଙ୍କ ଭୁଶୁଡ଼ିଲା ଘର

ହାଟଡିହି,(ଓ୍ବାଇଏନଏସ): ସାଳନ୍ଦୀ ନଦୀର ପ୍ରଖର ସ୍ରୋତ ଯୋଗୁଁ କାନପୁର ଗ୍ରାମରେ ଅତଡ଼ା ଖସି ୪ଟି ପରିବାରର ଘର ଓ ପାଇଖାନା ଗୃହ ଭୁଶୁଡ଼ି ପଡ଼ିଛି। ଏଥିସହ ନଦୀ ଉପରେ ନିର୍ମିତ ଫୁଟ୍‌ବ୍ରିଜ୍‌ର ଗୋଟିଏ ପାର୍ଶ୍ୱ ଧୋଇ ହୋଇଯିବାରୁ ଦନେଇପୁର-କାନପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ତେବେ ଜଳସମ୍ପଦ ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଜେସିବି ସାହାଯ୍ୟରେ ଘାଇ ମରାମତି କରାଯିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି। ସୂଚନା ଅନୁଯାୟୀ, କାନପୁର ଗ୍ରାମ ନିକଟ ଦେଇ ସାଳନ୍ଦୀ ନଦୀ ପ୍ରବାହିତ ହେଉଥିବାରୁ ପ୍ରତିବର୍ଷ ବର୍ଷା ଓ ବନ୍ୟା ସମୟରେ ନଦୀ ଅତଡ଼ା ଖସି ବ୍ୟାପକ କ୍ଷୟକ୍ଷତି ହୋଇଥାଏ। ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରଖର ସ୍ରୋତରେ ଅତଡ଼ା ଖସି ଗ୍ରାମର ଜୟକୃଷ୍ଣ ସେଣ, ରାମଚନ୍ଦ୍ର ସେଣ, ଚକ୍ରଧର ଖମାରୀ ଓ ବାରୁ ସେଣଙ୍କ ଘର ଓ ପାଇଖାନା ଗୃହ ନଦୀ ଗର୍ଭକୁ ଖସିପଡ଼ିଛି। ଏହାଦ୍ୱାରା ସମ୍ପୃକ୍ତ ପରିବାରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଗତ ଜୁନ୍‌ ମାସରେ ନଦୀ ଅତଡ଼ା ଖସିବା ରୋକିବା ପାଇଁ ଗ୍ରାମର ଅନେକ ଲୋକଙ୍କ ବାଡ଼ିପଟେ ମାଟି ପକାଯାଇଥିଲା। ତଥାପି ଚଳିତ ଲଗାଣ ବର୍ଷାରେ ଦୁଇଟି ଘର ନଦୀ ଗର୍ଭକୁ ଧସିଯାଇଛି। ଏହାଦ୍ୱାରା ଗ୍ରାମର ଅନ୍ୟ ଘରଗୁଡ଼ିକ ମଧ୍ୟ ବିପଦରେ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଅନ୍ୟପକ୍ଷରେ ଗଙ୍ଗାଧର ରାଉତଙ୍କ ଉଦ୍ୟମରେ ନିର୍ମିତ ନଦୀ ଉପର ଫୁଟ୍‌ବ୍ରିଜ୍‌ର ଗୋଟିଏ ପାର୍ଶ୍ୱ ପ୍ରାୟ ୫୦ ଫୁଟ୍‌ ଅଞ୍ଚଳରେ ଧୋଇ ହୋଇଯିବାରୁ ଦନେଇପୁର ଓ କାନପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଖବର ପାଇ ବିଦ୍ୟାଧରପୁର ସାଳନ୍ଦୀ ଡିଭିଜନର ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ମାରାଣ୍ଡି ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଗ୍ରାମବାସୀଙ୍କ ସହଯୋଗରେ ଜେସିବି ମେସିନ୍‌ ଦ୍ୱାରା ଘାଇକୁ ମରାମତି କରାଯାଇ ଯାତାୟାତର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟରେ ବୃନ୍ଦାବନ ବେହେରା, ବିଶ୍ୱରଞ୍ଜନ ପାଣିଗ୍ରାହୀ, ଶତ୍ରୁଘ୍ନ ରାଉତ, ଗୌରାଙ୍ଗ ରାଉତ, ସୋମନାଥ ରାଉତ, ଜୟକୃଷ୍ଣ ସେଣ, ରତିକାନ୍ତ ରାଉତ, ଉତ୍ତମ ବେହେରା, ଗଗନ ସାମଲ, କହ୍ନେଇ ଜେନା, ଅନାଦି ଜେନା, ଅପୂର୍ବ ମହାପାତ୍ର ଓ ମଧୁଆ ବେହେରାଙ୍କ ସମେତ ବହୁ ଗ୍ରାମବାସୀ ସହଯୋଗ କରିଥିଲେ। ତେବେ ନଦୀର ସ୍ରୋତ ଗ୍ରାମ ନିକଟ ଦେଇ ପ୍ରବାହିତ ହେଉଥିବାରୁ ଆଗାମୀ ଦିନରେ ଅଧିକ ଘରଦ୍ୱାର ଭୁଶୁଡ଼ିବାର ଆଶଙ୍କା ରହିଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ନଦୀ କୂଳରେ କଂକ୍ରିଟ୍‌ ସୁରକ୍ଷା ପ୍ରାଚୀର ନିର୍ମାଣ କରିବାକୁ ଗ୍ରାମବାସୀ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ନିକଟରେ ଦାବି ଜଣାଇଛନ୍ତି। ଏଥିସହ କ୍ଷତିଗ୍ରସ୍ତ ପରିବାରଙ୍କ ଘର ପରିଦର୍ଶନ କରାଇ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମଧ୍ୟ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ