ଓଡିଆ ପରମ୍ପରାରେ ରହିଛି ରଜପାନର ସ୍ୱତନ୍ତ୍ର ମାନ୍ୟତା

ଆସିକା  (ୱାଇଏନ୍‍ଏସ୍‍): ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଶନିବାର ଠାରୁ ଆରମ୍ଭ ହୋଇଛି ଗଣପର୍ବ ରଜ । ଏହି ରଜପର୍ବରେ ଆମ୍ବ, ପଣସ, ସପୁରୀ ସମେତ ଅନ୍ୟାନ୍ୟ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପାଇଁ ଯେତିକି ଆଗ୍ରହ ଥାଏ ତାହାଠାରୁ ଅଧିକ ଆଗ୍ରହ ରହିଥାଏ ରଜପାନ ଚୋବାଇବା ପାଇଁ । ରଜପର୍ବ ଅବସରରେ ଆସିକା ଏନ୍‌ଏସି ଅଧିନସ୍ଥ ହାଟପଦା ଛକସ୍ଥିତ ପ୍ରଫୁଲ୍ଲ ପାନ ଦୋକାନରେ ରଜପାନ ଖାଇବା ପାଇଁ ଆଜିଠାରୁ ଗ୍ରାହକଙ୍କ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଦୋକାନରେ ପାନବିକ୍ରୀ କରାଯାଉଥିଲେ ମଧ୍ୟ ହାଟପଦା ଛକ ସ୍ଥିତ ପ୍ରଫୁଲ୍ଲ ପାନଦୋକାନରୁ ପାନ ଖାଇବା ପାଇଁ ବର୍ଷ ତମାମ ସାଧାରଣଜନତାଙ୍କ ଆଗ୍ରହ ରହିଥାଏ । ହାଟପଦା ଛକସ୍ଥିତ ପ୍ରଫୁଲ୍ଲ ପାନ ଦୋକାନରେ ବର୍ଷତମାମ ବିକ୍ରୀ ହେଉଥିବା ବିଭିନ୍ନ ପାନର ସ୍ୱତନ୍ତ୍ରତା ଅନ୍ୟ ପାନଦୋକାନ ଠାରୁ ସଂପୂର୍ଣ୍ଣ ଭିନ୍ନ ବୋଲି ମତ ପ୍ରକାଶ ପାଉଛି । ଗଣପର୍ବ ରଜ ଅବସରରେ ରଜପାନ ଓ ଖିଲିପାନ ଖାଇବା ପାଇଁ ଏହି ପ୍ରଫୁଲ୍ଲ ପାନ ଦୋକାନକୁ ବିଭିନ୍ନ ବର୍ଗର ଲୋକ ଆସିଥାନ୍ତି । ରଜପାନ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ମିଠାମସଲା ବ୍ୟବହାର କରାଯାଉଥିଲା ବେଳେ ଗୋଟିଏର ମୂଲ୍ୟ ସର୍ବନିମ୍ନ ୫ଟଙ୍କା ଥିଲା ବେଳେ ସର୍ବାଧିକ ୧୦ଟଙ୍କା ଥିବା ଜଣାପଡିଛି । ଆସିକା ଅଞ୍ଚଳର ସାଧାରଣଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲାଭ ନହେଲେ ବି ପ୍ରତ୍ୟେକ ବର୍ଷ ଗଣପର୍ବ ରଜ ଅବସରରେ ପାନବିକ୍ରୀ କରିଥାନ୍ତି ବୋଲି ପ୍ରଫୁଲ୍ଲ ପାନ ଦୋକାନର ମାଲିକ ପ୍ରଫୁଲ୍ଲ ରେଡି ପ୍ରକାଶ କରିଛନ୍ତି । ଆସିକା ହାଟପଦା ଛକସ୍ଥିତ ପ୍ରଫୁଲ୍ଲ ପାନଦୋକାନରୁ ରଜପାନ ଚୋବାଇଲେ କୁଆଡେ ୩ଦିନ ପର୍ଯ୍ୟନ୍ତ ସୁଗନ୍ଧ ଯାଏ ନାହିଁ ଓ ହାକୁଟି ମାରିଲେ ପାନର ବାସ୍ନା ମହମହ ହୋଇ ବାହାରୁଥାଏ ବୋଲି ସାଧାରଣରେ ଆଲୋଚିତ ହେଉଛି । ଗଣପର୍ବ ରଜ ଅବସରରେ ଏହି ବ୍ୟବସାୟ ପ୍ରତିଷ୍ଠାନରେ ନାନା ରକମର ମିଠା ମସଲାରେ ପ୍ରସ୍ତୁତ ରଜପାନ କ୍ରୟ କରିବା ପାଇଁ ଗ୍ରାହକଙ୍କ ଭିଡ ଜମିଥିବା ଦେଖିବାକୁ ମିଳୁଛି । ଓଡିଆ ପରମ୍ପରାରେ ରଜପାନର ରହିଛି ସ୍ୱତନ୍ତ୍ର ମାନ୍ୟତା ରଜପର୍ବ ଆସିଲେ ପ୍ରଥମେ ମନେ ପଡେ ପାନକଥା । ଓଡିଶାର ସାହିତ୍ୟ, ସଂସ୍କୃତି ଓ ଲୋକକଳାରେ ରଜପାନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରୁଛି । ଓଡିଆ ମାନଙ୍କ ଧର୍ମ ଭାବନା ସହିତ ପ୍ରାଚୀନ କାଳରୁ ପାନର ନିବିଡ ସଂପର୍କ ରହିଛି । ରଜପର୍ବରେ ରଜପାନର ଆସର ଜମେ । ଯେତେ ପାନ ଖାଇଲେ ବି ରଜପାନର ସ୍ୱାଦ ଅଲଗା । ରଜରେ ପାନ ଖାଇବା, ଭାଙ୍ଗିବା ଓ ଅନ୍ୟମାନଙ୍କୁ ଖୁଆଇବାରେ ଥାଏ ଅନୁପମ ଆନନ୍ଦ । ପାନ ଯେପରି ସୁସ୍ୱାଦୁ ଓ ସୁବାସିତ ହେବ ସେଥି ଲାଗି ହାଟପଦା ସ୍ଥିତ ପ୍ରଫୁଲ୍ଲ ପାନ ଦୋକାନରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ମିଠା ମସଲା ବ୍ୟବହାର କରାଯାଇଥାଏ । ରଜପର୍ବରେ ମୁଖ୍ୟ ଆକର୍ଷଣ ସାଜିଥାଏ ମହମହ ବାସୁଥିବା ଖିଲିପାନ । ପାନର ସ୍ୱାଦ ଓ ବାସ୍ନା ବି ବେଶ ମନୋଲୋଭା । ଗଣପର୍ବ ରଜ ଅବସରରେ ଆଜିଠାରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ଉତ୍ସବ ମୁଖର ହୋଇ ପଡିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ