ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ରାଇକିଆ ବଣିକ ସଂଘ

ରାଇକିଆ, (ଆଦିତ୍ୟ ପ୍ରସାଦ ପାଢ଼ୀ): ସାମ୍ପ୍ରତିକ ‘ଅର୍ଣ୍ଣବ’ ଝଡ଼-ବାତ୍ୟାର ପ୍ରଭାବରେ କ୍ଷତିଗ୍ରସ୍ତ ତଥା ପ୍ରଭାବିତ ପରିବାରମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଛି ରାଇକିଆ ବଣିକ ସଂଘ। ଏହି ବିପତ୍ତି ସମୟରେ ବିପନ୍ନମାନଙ୍କ ଦୁଃଖ ଦୂର କରିବା ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ସ୍ୱତନ୍ତ୍ର ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଶାସନ ତଥା ସ୍ଥାନୀୟ ବ୍ୟବସ୍ଥାରେ ଗୁନ୍ଧାଣୀ ପ୍ରାଥମିକ ବିଦ୍ୟାଳୟ ଏବଂ ମାଣିକେଶ୍ୱର ସ୍ଥିତ ଯୋଗେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଖୋଲାଯାଇଥିଲା। ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ଆଶ୍ରୟ ନେଇଥିବା ଅସହାୟ ତଥା ବିପନ୍ନ ପରିବାରଗୁଡ଼ିକୁ ରାଇକିଆ ବଣିକ ସଂଘ ତରଫରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ରାଇକିଆ ବଣିକ ସଂଘର ସଭାପତି ବିଜୟ କୁମାର ପଣ୍ଡା ଏବଂ ସମ୍ପାଦକ ରାମକୃଷ୍ଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ସେବା କାର୍ଯ୍ୟରେ ସଂଘର କର୍ମକର୍ତ୍ତା ତଥା ସଦସ୍ୟ ପ୍ରମୋଦ ପତି, ତ୍ରିଲୋଚନ ଦଳେଇ, ବିକ୍ରମ ପାଳ, ଗତିକୃଷ୍ଣ ପଣ୍ଡା, ମାନସ ସାହୁ, ମହେନ୍ଦ୍ର ପାତ୍ର ଏବଂ ମୁନା ବେହେରା ପ୍ରମୁଖ ଉପସ୍ଥିତ ରହି ସାମଗ୍ରୀ ବଣ୍ଟନରେ ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ ପରିବାରଗୁଡ଼ିକୁ ଶୀତ ଓ ଥଣ୍ଡାରୁ ରକ୍ଷା ପାଇବା ପାଇଁ କମ୍ବଳ ସହିତ ଦୈନନ୍ଦିନ ବ୍ୟବହାର୍ଯ୍ୟ ତେଲ ଏବଂ ସାବୁନ ପ୍ରଦାନ କରାଯାଇଥିଲା। ଏହା ସହିତ ଛୋଟ ପିଲାମାନଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ସେମାନଙ୍କ ପାଇଁ ଅଙ୍ଗନୱାଡ଼ି ପୋଷାକ, ପାଠପଢ଼ା ନିମନ୍ତେ ଖାତା ଓ ପେନ୍ ଏବଂ ଖାଦ୍ୟ ସ୍ୱରୂପ ବିସ୍କୁଟ ବଣ୍ଟନ କରାଯାଇଥିଲା। ସଂଘର ଏହି ମହତ ପ୍ରୟାସ ଫଳରେ ଆଶ୍ରୟସ୍ଥଳୀରେ ରହୁଥିବା ଲୋକମାନେ ଉପକୃତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଛି। ସେହିପରି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ତରଫରୁ “ଅର୍ଣ୍ଣବ” ବାତ୍ୟାରେ ପ୍ରଭାବିତ ମାଣିକେଶ୍ୱର ପଞ୍ଚାୟତର ଗୁନ୍ଧାଣି ସେବାଶ୍ରମସ୍ଥିତ ଆଶ୍ରୟସ୍ଥଳୀରେ କୃହୁବାଡା ଗ୍ରାମର ରହୁଥିବା ଅନ୍ତେବାସୀମାନଙ୍କୁ ରାଇକିଆ ବ୍ଲକ ବିଜେପି ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ