ଚୋରା କାଠ ବୋଝେଇ ପିକଅପ୍ ଗାଡି ଜବତ ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ବ୍ରହ୍ମପୁର ବନବିଭାଗ ଭିଜିଲାନ୍ସ ସ୍କୁଆର୍ଡ ଏବଂ ଦିଗପହଣ୍ଡି ବନବିଭାଗ ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଶାଗୁଆନ ଓ ପଣସ କାଠ ଗଣ୍ଡି ବୋଝେଇ ହୋଇଥିବା ଟାଟା ପିକଅପ୍ ଭ୍ୟାନ (ନଂ. ଓଡି ୦୭ ଏଏସ – ୪୩୪୮) କୁ ଜବତ କରିଥିବା ଜଣାପଡିଛି। ଚିକିଟି ବନ ବିଭାଗ ସେକ୍ସନ ଫରେଷ୍ଟର କାମନା ଭୁଁୟା କାଠ ଓ ପିକଅପ ଭ୍ୟାନକୁ ଜବତ କରିବା ସହ ଏହି କାଠ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ଗୋଳନ୍ଥରା ଥାନା ପିତାତଳି ଗ୍ରାମର ଜୀବନ ଜ୍ୟୋତି ରାଉତ(୪୦) ଙ୍କୁ ଗିରଫ କରି ବିଳମ୍ବିତ ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି। ବନ ବିଭାଗ ମାମଲା ନଂ.୧୩୬/୨୬-୨୭ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଶୁକ୍ରବାର ସକାଳେ ଚୋରା କାଠ ଆନ୍ଧ୍ର ଚାଲାଣ କରାଯାଉଥିବା ନେଇ ପ୍ରାପ୍ତ ସୂଚନାକୁ ଭିତ୍ତିକରି ବ୍ରହ୍ମପୁର ବନ ବିଭାଗ ଭିଜିଲାନ୍ସ ଫରେଷ୍ଟର ରାଜୀବ କୁମାର ପାତ୍ର, ଚିକିଟି ଫରେଷ୍ଟର କାମନା ଭୁଁୟା, ଫରେଷ୍ଟ ଗାର୍ଡ ନିତାରାଣୀ ବିଶ୍ୱାସରାୟ, ନୂଆପଡ଼ା ଫରେଷ୍ଟର ଇ.ଗଣେଶ, ଦିଗପହଣ୍ଡି ଫରେଷ୍ଟଗାର୍ଡ ପ୍ରଦୀପ କୁମାର ସ୍ବାଇଁ କୋଟିଲିଙ୍ଗି ଗାଁ ନିକଟରେ ଛକି ରହିଥିଲେ। ବନ କର୍ମଚାରୀଙ୍କୁ ଦେଖି ଗାଡ଼ି ଚାଳକ ଦ୍ରୁତଗତିରେ ଭ୍ୟାନକୁ ନେଇଯାଉଥିବା ବେଳେ ବନ କର୍ମଚାରୀ ବୃନ୍ଦ ଗୋଡ଼ାଇ ଭ୍ୟାନକୁ ଧରିବାରେ ସଫଳ ହୋଇଥିଲେ। ଜବତ ହୋଇଥିବା ୧୪.୫୧ ଘନଫୁଟ ବିଶିଷ୍ଟ ୮ ଟି ଶାଗୁଆନ କାଠ ଗଣ୍ଡି ଏବଂ ୨୮.୦୫ ଘନଫୁଟ ବିଶିଷ୍ଟ ପଣସ କାଠ ଗଣ୍ଡିର ବଜାର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ହେବବୋଲି ବନବିଭାଗ ପକ୍ଷରୁ ଆକଳନ କରାଯାଇଥିବା ଚିକିଟି ଫରେଷ୍ଟର କହିଛନ୍ତି।


