ହୃଦ୍ଘାତରେ ଧର୍ମପରାୟଣ ମହିଳାଙ୍କ ପରଲୋକ
ବନ୍ତ (ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ଥାନାଛକସ୍ଥିତ ସୁକାନ୍ତୀ ମେଡିସିନ ଷ୍ଟୋରର ପ୍ରୋପାଇଟର ତଥା ବନ୍ତ ଥାନା ଛକ ଲକ୍ଷ୍ମୀପୂଜା କମିଟିର ସଭାପତି ରାମଚନ୍ଦ୍ର ପଣ୍ଡାଙ୍କର ଧର୍ମପତ୍ନୀ ସ୍ୱପ୍ନା ପଣ୍ଡା(୬୮)ଙ୍କର ମଙ୍ଗଳବାର ସକାଳ ୫ଟା ୩୦ରେ ହୃଦ୍ଘାତରେ ପରଲୋକ ଘଟିଛି । ସୋମବାର ରାତି ୩ଟାରେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାରଲୋକେ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମରଶରୀର ବନ୍ତସ୍ଥିତ ବାସଭବନରେ ପହଞ୍ôଚବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ଦିଅର, ଯାଆ, ଝିଅ, ଜ୍ୱାଇଁ, ପୁତ୍ର, ପୁତ୍ରବଧୁ, ନାତିନାତୁଣୀଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ପରେ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରା ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା । ବଡପୁଅ ସଞ୍ଜୟ ମୁଖାଗ୍ନି ଦେଇଥିଲେ । ସେ ବନ୍ତ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଦୀନବନ୍ଧୁ ପଣ୍ଡାଙ୍କର ଜ୍ୟୋଷ୍ଠ ପୁତ୍ରବଧୁ ଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ ଓ ଧର୍ମପରାୟଣ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।