ଦରଦାମ ବୃଦ୍ଧି କାରଣରୁ ମଧ୍ୟାହ୍ନ ଭୋଜନ ଅନୁଦାନ ରାଶି ବୃଦ୍ଧି ପାଇଁ ଅନୁରୋଧ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ଦରଦାମ ବୃଦ୍ଧି କାରଣରୁ ଅଙ୍ଗନୱାଡି ଓ ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରିଚାଳନାକୁ ନେଇ ଦିନକୁ ଦିନ ଜଟିଳ ପରିସ୍ଥିତି ବଢ଼ିବାରେ ଲାଗିଛି ଯାହାକୁ ନେଇ ବିଭିନ୍ନ ଅଙ୍ଗନୱାଡି ଓ ବିଦ୍ୟାଳୟ ମାନଙ୍କ ତରଫରୁ ମଧ୍ୟାହ୍ନ ଭୋଜନ ଅନୁଦାନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରାଯାଉଛି। ସୂଚନା ମୁତାବକ ମୁନିଗୁଡ଼ା ବ୍ଲକର ୧୦୭ଟି ପ୍ରାଥମିକ ବିଦ୍ୟାଳୟ,୫୦ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,୧୫ଟି ଉଚ୍ଚ ବିଦ୍ୟାଳୟ ଏବଂ ଅନୁସୂଚିତ ଜାତି ଜନଜାତି ବିଭାଗ ପରିଚାଳିତ ୧୧ଟି ଛାତ୍ରୀ ଓ ଛାତ୍ର ନିବାସର ବିଦ୍ୟାର୍ଥୀ ମାନଙ୍କ ସହିତ ମୁନିଗୁଡ଼ା ବ୍ଲକର ୧୮୭ଟି ଅଙ୍ଗନୱାଡି କେନ୍ଦ୍ରରେ ଅହେତୁକ ଦରଦାମ ବୃଦ୍ଧି କାରଣରୁ ହଜାର ହଜାର ଶିଶୁ ଏବଂ ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କୁ ପ୍ରୁଷ୍ଟିକର ଖାଦ୍ୟ ଯୋଗାଇବାକୁ ନେଇ ଅସମ୍ଭବ ହୋଇପଡିଛି। ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଅନୁଦାନ ଓ ବଜାରରେ ବଢୁଥିବା ଅଣ୍ଡା,ପନିପରିବା,ଡାଲି ଓ ଖାଇବା ତେଲ ଦରଦାମ ମଧ୍ୟରେ ବ୍ୟାପକ ପାର୍ଥକ୍ୟ ଥିବାରୁ ଅଙ୍ଗନୱାଡି କର୍ମୀ ଓ ଶିକ୍ଷକ ମାନେ ଅନେକାଂଶରେ ଚାପରେ ପଡିବା ସହ ବେଳେ ଜଟିଳ ପରିସ୍ଥିତିରେ ପଡୁଥିବା ଜଣାପଡିଛି। ସରକାରଙ୍କ ଧାର୍ଯ୍ୟ ଅନୁସାରେ ପ୍ରାଥମିକ ବିଦ୍ୟାଳୟ ମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଗୋଟିଏ ଅଣ୍ଡା ବାବଦକୁ ୫ଟଙ୍କା ୫୦ପଇସା,ପନିପରିବା, ତେଲ, ଲୁଣ ଓ ଜାଳେଣି ପାଇଁ ୧ ଟଙ୍କା ୯୦ପଇସା ଯୋଗାଇ ଦିଆଯାଉଛି। ସେହିପରି ଗଣଶିକ୍ଷା ବିଭାଗ ଅଧିନରେ ଥିବା ବିଦ୍ୟାଳୟ ମାନଙ୍କୁ ଅଣ୍ଡା ପିଛା ୫ ଟଙ୍କା,ପନିପରିବା, ତେଲ,ଲୁଣ, ଡାଲି,ଜାଳେଣି ପାଇଁ ୧ ଟଙ୍କା ୮୦ ପଇସା ଏବଂ ମାଣ୍ଡିଆ ଲଡୁ ପାଇଁ ୩ ଟଙ୍କା ୫୦ପଇସା ଯୋଗାଇ ଦିଆଯାଉଛି। ହେଲେ ଆଜିକାଲି ବଜାରକୁ ଦେଖିଲେ ଏସବୁ ମିଳୁଥିବା ଅନୁଦାନ ଅର୍ଥରେ ଯୋଗାଇବା କଷ୍ଟକର ହେଉଛି। ସେଥିପାଇଁ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟ ମାନଙ୍କରେ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ସଂପୃକ୍ତ ବିଦ୍ୟାଳୟ ଓ କେନ୍ଦ୍ରର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଙ୍ଗନୱାଡି କର୍ମୀ ମାନେ ଅପମାନର ଶିକାର ହେଉଛନ୍ତି। ସେମାନଙ୍କ କହିବା କଥା ବର୍ତ୍ତମାନ ମୁନିଗୁଡ଼ା ବଜାରରେ ବଡ଼ ଅଣ୍ଡା ଗୋଟାକ ୮ ରୁ ୧୦ ଟଙ୍କା ଥିବାବେଳେ ସାନ ଅଣ୍ଡା ଗୋଟା ୭/୮ଟଙ୍କା ରହିଛି।ସେହିପରି ବଜାରରେ ପରିବା ଦର ଆକାଶ ଛୁଆଁ। ଆଳୁ ଦର ପ୍ରାୟତଃ ସ୍ଥିର ରହୁଥିବା ବେଳେ ପିଆଜ ୪୦,ଅନ୍ୟ ପନିପରିବା ୬୦ ଟଙ୍କା ଉପରେ ଥିବାବେଳେ ତେଲ ୨୦୦ ଟଙ୍କା,ଗ୍ୟାସ ଦର ବଢ଼ିବଢ଼ି ଚାଲିଥିବା ବେଳେ କିପରି ପୃଷ୍ଟିକର ଖାଦ୍ୟ ଏତେ କମ୍ ଅନୁଦାନରେ ଯୋଗାଇ ହେବ। ୭ ମାସରୁ ୩ ବର୍ଷର ପିଲା,ଗର୍ଭବତୀ ଓ ପ୍ରସୂତି ମାଆ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ମୁଣ୍ଡ ପିଛା ନିର୍ଦ୍ଧାରିତ ଅନୁଦାନରେ କିପରି ଆଜିକା ବଜାର ଦରରେ ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି।ଫଳରେ ପିଏମ ପୋଷଣ ଯୋଜନାରେ ସପ୍ତାହର ୬ ଦିନ ପିଲାଙ୍କୁ ଆବଶ୍ୟକ ଗୁଣାତ୍ମକ ଖାଦ୍ୟ ପ୍ରସ୍ତୁତ କରି ଯୋଗାଇବା ସମସ୍ତ ବିଦ୍ୟାଳୟ ଓ କେନ୍ଦ୍ର ତରଫରୁ କଷ୍ଟକର ହୋଇ ପଡ଼ିଲାଣି । ବିଶେଷକରି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ମାନଙ୍କର ସମସ୍ୟା ଅଧିକ ଜଟିଳ ହୋଇ ପଡ଼ିଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥକୁ ମିଶାଇ ପ୍ରାଥମିକ ବିଦ୍ୟାଳୟର ଜଣେ ପିଲା ପିଛା ୧୧ ଟଙ୍କା ୧୫ ପଇସା ଦିଆଯାଉଥିବା ବେଳେ କେବଳ ଅଣ୍ଡା ବାବଦରେ ୬ ରୁ ୭ ଟଙ୍କା ବ୍ୟୟ କରିବାକୁ ପଡୁଛି। ବାକି ପଇସାରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ କିପରି ସମ୍ଭବ ହୋଇ ପାରିବ ତାହା ଚିନ୍ତାର ବିଷୟ। ଏହା ସହିତ ସରକାରଙ୍କ ଅନୁଦାନ ରାଶି ବେଳେବେଳେ ମାସ ଶେଷରେ ନମିଳି ୩/୪ ମାସ ବିଳମ୍ବରେ ମିଳୁଥିବାରୁ ଧାର ଉଧାର କରି ଅଙ୍ଗନବାଡି କେନ୍ଦ୍ର ଚଳାଉଥିବା କର୍ମୀ ଓ ଶିକ୍ଷକ ମାନେ ବେପାରୀ ମାନଙ୍କ ଠାରୁ ନାନା କଥା ଶୁଣୁଥିବା ଦେଖିବାକୁ ମିଳୁଛି। ଅନ୍ୟ ପକ୍ଷରେ ବିଳମ୍ବିତ ଅର୍ଥ ଯୋଗାଣ କାରଣରୁ ଅଣ୍ଡା ଯୋଗାଣ ମଧ୍ୟ ବେଳେବେଳେ ବାଧାପ୍ରାପ୍ତ ହେଉଛି। ତେଣୁ ବର୍ତ୍ତମାନର ବଜାରକୁ ଦୃଷ୍ଟିରେ ରଖି ଅଣ୍ଡା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପାଇଁ ସରକାରୀ ଅନୁଦାନ ରାଶି ବୃଦ୍ଧି କରିବା ସହିତ ନିୟମିତ ରୂପେ ସଠିକ୍ ସମୟରେ ଅର୍ଥ ପ୍ରଦାନ କରିବାକୁ ଅଙ୍ଗନୱାଡି କର୍ମୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନେ ନିବେଦନ କରୁଛନ୍ତି।


