ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହନ୍ତ) କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ବାପୁଜୀ ଆଦର୍ଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧୋବାଡିହା ର ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ବାରିକ ମାର୍ଚ୍ଚ ୩୧ ତାରିଖ ଦିନ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଗତକାଲି ସ୍କୁଲ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସଦର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାନସ ମିଶ୍ର,ତରଣୀସେନ ମୁଣ୍ଡା,ଜଗଦିଶ ନାୟକ ଯୋଗ ଦେଇ ତାଙ୍କର କର୍ତ୍ତବ୍ୟନିଷ୍ଠା,ବ୍ୟକ୍ତିତ୍ୱ,ସମସ୍ତଙ୍କୁ ଭଲ ପାଇବା,ଉତ୍ତମ ବ୍ୟବହାର,ଶିକ୍ଷାଦାନ ଓ କାର୍ଯ୍ୟ କରିବାର ଶୈଳୀକୁ ପ୍ରଶଂସା କରି ତାଙ୍କର ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ସଦର ବ୍ଲକ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦା ନିଜ ବକ୍ତବ୍ୟରେ ଜଣେ କର୍ତ୍ତ୍ୟବ୍ୟନିଷ୍ଠ ଏବଂ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ତାଙ୍କର ସୁନାମ ରହିଥିବା କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, କେନ୍ଦୁଝର ସ୍ଥିତ କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ଶରତ ବାରିକ ଯୋଗ ଦେଇଥିଲେ । ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଅତିଥିମାନେ ତାଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିବାବେଳେ ସିଆରସିସି ସୁଧାଂଶୁ ରାଉତ,ଶିକ୍ଷକ ପିନାକି ମିଶ୍ର,ପ୍ରଦୀପ ମିଶ୍ର,ରଶ୍ମିତା ଦାସ,ସୁପ୍ରୀତି ସାହୁ,ଶୁଭଶ୍ରୀ ପାଲ,ଜ୍ୟୋସ୍ନାମୟୀ ଚକ୍ର,ପ୍ରମିଳା ବିଶ୍ୱାଳ,ଗୀତାଞ୍ଜଳୀ ମାଝୀ,ବରିଷ୍ଠ କିରାଣୀ ଚିତ୍ତରଞ୍ଜନ ସାହୁ ଭାବବିହ୍ୱଳ ସହକାରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରି ସୁଖମୟ ଅବସର ଜୀବନ କାମନା କରିଥିଲେ ।