ସ୍ୱାୟତ୍ତ ଶାସନ ଦିବସ ପାଳିତ

କୋଣାର୍କ, (ଓ୍ବାଇଏନଏସ): ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କରେ କୋଣାର୍କ ଏନ୍‌ଏସି ପକ୍ଷରୁ ସୋମବାର ପୂର୍ବାହ୍ନରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏନ୍‌ଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦିବସର ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କୋଣାର୍କ ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। ପରେ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ଶାରୀରିକ ଭିନ୍ନକ୍ଷମ, ଅସହାୟ ଏବଂ ବୃଦ୍ଧବୃଦ୍ଧାଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହାପରେ ଚନ୍ଦ୍ରଭାଗାସ୍ଥିତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଅତିଥି ଓ ଏନ୍‌ଏସିର ପ୍ରତିନିଧିମାନେ ମାଲ୍ୟାର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ଏନ୍‌ଏସି କାର୍ଯ୍ୟାଳୟ ପଡ଼ିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ବିଧାୟକ ତୁଷାରକାନ୍ତି ବେହେରା ଯୋଗଦେଇ କୋଣାର୍କ ଏନ୍‌ଏସିର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କର ସାମୂହିକ ପ୍ରୟାସ ଓ ସହଯୋଗ ଜରୁରୀ ବୋଲି ମତପ୍ରକାଶ କରିଥିଲେ ।ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନା ବାର୍ଷିକ ବିବରଣୀ ପାଠ କରିବା ସହ କୋଣାର୍କକୁ ଏକ ନମ୍ବର ଏନ୍‌ଏସି ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ସଭାରେ ଏନ୍‌ଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟଙ୍କ ସମେତ କାଉନସିଲର ସୌମ୍ୟ ସୌରଭ ଦାଶ, ନିହାର ରଞ୍ଜନ ବେଉରା, ସମୟ ରଞ୍ଜନ ସାହୁ, ସୁଭସ୍ମିତା ପାତ୍ର, ବିଷ୍ଣୁପ୍ରିୟା ନାୟକ, ବିଶ୍ଵମ୍ବର ବିଶ୍ୱାଳ, ଦିଲ୍ଲୀପ ଦାସ, ସ୍ୱପ୍ନା ଗୋଛାୟତଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ସେମାନେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସର ମହତ୍ତ୍ୱ ସହ ନିଜ ନିଜ ୱାର୍ଡର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ମତାମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ଏନ୍‌ଏସିର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସଫେଇ କର୍ମଚାରୀ ଓ ସ୍ୱଚ୍ଛ ସାଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ରାମକୃଷ୍ଣ ମହାନ୍ତି ସଂଯୋଜନା କରିଥିବା ବେଳେ ଭାଗ୍ୟରଥୀ ବରାଳଙ୍କ ସମେତ ଏନ୍‌ଏସିର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ