ଗଜପତିରେ ଚାଞ୍ଚଲ୍ୟ: ରାତିଅଧିଆ ଘରୁ ଜବରଦସ୍ତି ଉଠାଇ ଆଣି କଙ୍ଗାରୁ କୋର୍ଟ ଜରିଆରେ ମୃତ୍ୟୁ ଦଣ୍ଡ ଓ ହତ୍ୟା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ମୋହନା ବ୍ଲକ ଅଞ୍ଚଳର ଦୁର୍ଗମ ବନ ପାହାଡ଼ ଘେରା ଏକ ଆଦିବାସୀ ବସ୍ତିରେ ଏକ ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ଘଟିଛି. ଗତ ଶନିବାର ବିଳମ୍ବିତ ରାତିରେ ଘରୁ ଡାକି ନେଇ ଜଣେ ବ୍ୟକ୍ତିଙ୍କୁ କଙ୍ଗାରୁ କୋୖର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁ ଦଣ୍ଡ ଆଦେଶ ହୋଇଥିଲା. ପରେ ପରିବାର ଲୋକଙ୍କ ସାମ୍ନାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗାଁ ଦାଣ୍ଡରେ ପିଟିପିଟି ହତ୍ୟା କରାଯାଇ ନିଆଁରେ ଅତ୍ୟନ୍ତ ନୃଶଂସ ଭାବେ ପୋଡି ଦିଆଯାଇଛି. ଏହି ହତ୍ୟାକାଣ୍ଡ ଘଟଣାରେ ମୋହନା ପୋଲିସ ମେରମା ଗ୍ରାମରୁ 20 ଜଣଙ୍କୁ ଆଣି ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣା ପଡିଛି. ଘଟଣାଟି ଗଜପତି ଜିଲ୍ଲାର ମୋହନା ବ୍ଲକର ମେରମା ଗ୍ରାମରେ ଘଟିଛି. ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ରାମଚନ୍ଦ୍ର ମଲ୍ଲିକଙ୍କୁ (41) ଗତ 26 ତାରିଖ ଶନିବାର ବିଳମ୍ବିତ ରାତ୍ରରେ ଘରୁ ଜବରଦସ୍ତ ଡାକି ନେଇ କଙ୍ଗାରୁ କୋୖର୍ଟର ଆୟୋଜନ କରାଯାଇଥିଲା. ଏହି କୋୖର୍ଟରେ ତାଙ୍କୁ ଗୁଣିଗାରେଡି କରି ଲୋକଙ୍କୁ ମାରୁଛ ବୋଲି କହି ମୃତ୍ୟୁ ଦଣ୍ଡ ଦିଆଯାଇଥିଲା. ପରେ ପରିବାର ସମସ୍ତ ଗ୍ରାମବାସୀଙ୍କ ସମ୍ମୁଖରେ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ପୋଡ଼ି ଦିଆ ଯାଇଥିବା ଅଭିଯୋଗ ହୋଇଛି । କଙ୍ଗାରୁ କୋୖର୍ଟରେ ରାମଚନ୍ଦ୍ରଙ୍କ ବିରୁଦ୍ଧରେ କୁହାଯାଇଛିଯେ ଗ୍ରାମରେ ଜଣେ ମହିଳା ଓ ଦୁଇ ମାସର ଶିଶୁକୁ ରାମଚନ୍ଦ୍ରଙ୍କୁ ଗୁଣି ଗାରେଡ଼ି କରି ହତ୍ୟା କରିଛି. ଏହାକୁ ନେଇ ପୂର୍ବରୁ ଗାଁରେ ବାରମ୍ବାର ବୈଠକ ହୋଇଥିବା ବେଳେ, ଶେଷରେ ଶନିବାର ରାତ୍ରରେ ହତ୍ୟାକାଣ୍ଡ ହୋଇଛି । ଘଟଣାକୁ ନେଇ ମୋହନା ପୋଲିସ ମେରାମା ଗ୍ରାମକୁ ଯାଇ ତଦନ୍ତ କରି ଫେରିଛି। ଏଠାରେ ସୂଚନାଯୋଗ୍ୟଯେ ପାହାଡ଼ ଉପରେ ଏକ କୁଡ଼ିଆ ଘରେ ରହୁଥିଲେ ରାମ ମଲିକ । ସେଠାରେ ରହି ଚେରମୂଳି ଦ୍ୱାରା ଲୋକଙ୍କ ଚିକିତ୍ସା କରୁଥିଲେ। କିଛିଦିନ ତଳେ ଗାଁର ଜଣେ ମହିଳା ଓ ଦୁଇ ମାସର ଶିଶୁର ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁ ପଛରେ ଗୁଣିଗାରେଡ଼ି ଥିବା ସନ୍ଦେହ କରି ରାମଙ୍କୁ ଦାୟୀ କରୁଥିବା ଅଭିଯୋଗ ଉଠିଥିଲା। ଏହାରି ମଧ୍ୟରେ ରାମଙ୍କୁ ତାଙ୍କ କୁଡ଼ିଆ ଘର ନିକଟରେ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ମୃତଦେହକୁ ପୋଡ଼ି ଦିଆଯାଇଥିବା ଅଭିଯୋଗ ଆସିଛି। ଘଟଣା ପଛରେ ଗ୍ରାମରେ କଙ୍ଗାରୁ କୋୖର୍ଟର ନିଷ୍ପତ୍ତି ରହିଛି କି, ନା ଅନ୍ୟ କୌଣସି କାରଣକୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ସେ ନେଇ ପୋଲିସର ତଦନ୍ତ ଆରମ୍ଭ କରିବା ପରେ ଆଜି ପୁଣି ସେହି ଗ୍ରାମରୁ 15 ଜଣଙ୍କୁ ଉଠାଇ ଆଣି ମୋଟ 20 ଜଣଙ୍କୁ ମୋହନା ଥାନାରେ ଅଟକ ରଖି ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି. ଖବର ଲେଖିବା ସମୟ ସୁଦ୍ଧା ମୋହନା ପୋଲିସ ଘଟଣା ନେଇ କାହାକୁ ଗିରଫ କରିନଥିବା ଜଣା ଯାଇଛି.


