ଜେଏନ୍ୟୁ ପ୍ରଫେସରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ: ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ
ବାଲେଶ୍ୱର,(ସରୋଜ ପଣ୍ଡା) : ଜେଏନ୍ୟୁର ପ୍ରଫେସର ତଥା ମଣିପୁର ଇନର ଲୋକସଭା ଆସନର କଂଗ୍ରେସ ସାଂସଦ ପ୍ରଫେସର ଅଙ୍ଗୋମଚା ବିମଲ ଆକୋଇଜାମଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଆଣିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗ ଏବଂ ବିଭାଗୀୟ ପ୍ରାଥମିକ ତଦନ୍ତରେ ଏହାର ସତ୍ୟତାକୁ ସ୍ବୀକାର କରି ଜେଏନ୍ୟୁରୁ ନିଳମ୍ବିତ କରାଯାଇଛି। କିନ୍ତୁ ଯେଉଁ ଦଳର ସାଂସଦ ସେହି କଂଗ୍ରେସ ଦଳ ନିରବତା ଅବଲମ୍ବନ କରିଛି। ଏହି ମାମଲାରେ କଂଗ୍ରେସ ନେତୃତ୍ୱର ନୀରବତାକୁ ବିରୋଧ କରି ବାଲେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ଏକ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ବାଲେଶ୍ୱରର ସେବା ଜ୍ୟୋତି ଛକଠାରେ ଆୟୋଜିତ ଏହି ବିକ୍ଷୋଭରେ ଶତାଧିକ ମହିଳା କର୍ମୀ ଯୋଗଦେଇ କଂଗ୍ରେସ ଦଳ ଓ ଏହାର ନେତୃତ୍ୱ ବିରୋଧରେ ନାରାବାଜି କରିଥିଲେ। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସସ୍ମିତା ପଣ୍ଡାଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରତିବାଦରେ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଉପସଭାପତି ବିଜୟ ସାହୁ, ସମ୍ପାଦକ ରବିତା ଦାସ, ଚିତ୍ତରଞ୍ଜନ ପଣ୍ଡା ଓ ରାଜେଶ ମହାପାତ୍ର, ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ମଧୁଶ୍ରୀ ପଣ୍ଡା, କମଳା ବିନ୍ଧାଣୀ, ପ୍ରିୟାରାଣୀ ମଲ୍ଲିକ, ସବିତା ପାଣିଗ୍ରାହୀ, ରବିତା ଦାଶ, ଶ୍ରୀୟା ଦାସ, ପ୍ରିୟଙ୍କା ଦାସ, ସୁମିତ୍ରା ପରିଡା, ସସ୍ମିତା ନାଥ, ଭାରତୀ ପାତ୍ର, ରଶ୍ମିବାଳା ପାତ୍ର, ଶୁଭସ୍ମିତା ଦାସ, ବିଳାସିନୀ, ସୁସ୍ମିତା ଶୁକ୍ଲା, ପାର୍ବତୀ ଜେନା, ଦିବ୍ୟା ଭାରତୀ ଜେନା, ଦିବ୍ୟା ଦାଶ, ପଦ୍ମିନୀ ଅଧିକାରୀ, ସଂଗୀତା ଦାସ, ସୁକାନ୍ତି ଦେବ ଗୋସ୍ୱାମୀ, ଜୟନ୍ତୀ, କନକଲତା, ରଶ୍ମି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରଦର୍ଶନକାରୀଙ୍କ ଅଭିଯୋଗ ଅନୁଯାୟୀ, ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାରର କଥା କହୁଥିବା କଂଗ୍ରେସ ଦଳ ନିଜ ଦଳର ଜଣେ ସାଂସଦଙ୍କ ବିରୋଧରେ ଏପରି ଗୁରୁତର ଅଭିଯୋଗ ଉଠିଥିବା ବେଳେ ଯଥୋଚିତ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନୀରବତାକୁ ନେଇ ମଧ୍ୟ ମହିଳା ମୋର୍ଚ୍ଚା ପ୍ରଶ୍ନ ଉଠାଇଥିଲା। ବିକ୍ଷୋଭକାରୀମାନେ କହିଥିଲେ ଯେ, ମହିଳାଙ୍କ ସମ୍ମାନ ଓ ନ୍ୟାୟ କେବଳ ରାଜନୈତିକ ଭାଷଣରେ ସୀମିତ ରହିବା ଉଚିତ ନୁହେଁ। ମହିଳାଙ୍କ ସହ ଜଡ଼ିତ ଗୁରୁତର ଅଭିଯୋଗ ଉଠିଲେ ଦଳୀୟ ସ୍ୱାର୍ଥରୁ ଊର୍ଦ୍ଧ୍ୱରେ ରହି ନିରପେକ୍ଷ ତଦନ୍ତ ଓ ଉପଯୁକ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ। ଏଭଳି ଘଟଣାରେ ଦାୟିତ୍ୱବାନ ଆଚରଣ ଓ ଉତ୍ତରଦାୟିତ୍ୱ ହିଁ ମହିଳାଙ୍କ ପ୍ରତି ପ୍ରକୃତ ସମ୍ମାନର ପରିଚୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ କଂଗ୍ରେସର କଥିତ ମହିଳା ବିରୋଧୀ ଆଭିମୁଖ୍ୟକୁ ନିନ୍ଦା କରି ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ପ୍ରତିବାଦର ଶେଷରେ ସମ୍ପୃକ୍ତ ସାଂସଦ ଓ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରି ମହିଳା ମୋର୍ଚ୍ଚା କର୍ମୀମାନେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ମହିଳାଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ନ୍ୟାୟ ପ୍ରତି ରାଜନୈତିକ ଦଳଗୁଡ଼ିକର ଆଭିମୁଖ୍ୟ ନେଇ ଏହି ପ୍ରତିବାଦ ପୁଣିଥରେ ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି।


