ଏସ୍ସିବିରେ ବିପର୍ଯ୍ୟସ୍ତ ଶିଶୁ ଚିକିତ୍ସା ବ୍ୟବସ୍ଥା, ୮ ମାସ ହେଲା ବନ୍ଦ ଆଇସିୟୁ
କଟକ, (ଓ୍ବାଇଏନଏସ): ରାଜ୍ୟର ସର୍ବବୃହତ୍ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏସ୍ସିବିରେ ରୋଗୀସେବାକୁ ନେଇ ବିଭିନ୍ନ ସମୟରେ ଉଠୁଥିବା ଅଭିଯୋଗ ଏବେ ଚିନ୍ତାର କାରଣ ପାଲଟିଛି। କେଉଁଠି ରୋଗୀଙ୍କୁ ମାଡ଼ ମାରିବା ଓ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁକୁ ନେଇ ଅଭିଯୋଗ ଆସୁଛି ତ ଆଉ କେଉଁଠି ସୁରକ୍ଷାକର୍ମୀଙ୍କ ଆଚରଣ ଓ ଟିକେଟ୍ କାଉଣ୍ଟରରେ ଅବ୍ୟବସ୍ଥାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏବେ ଗୁରୁତର ଶିଶୁଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପେଡିଆଟ୍ରିକ୍ ଆଇସିୟୁ ଦୀର୍ଘ ଆଠ ମାସ ଧରି ବନ୍ଦ ରହିବା ଘଟଣା ହସ୍ପିଟାଲର ଭିତ୍ତିଭୂମି ଓ ପରିଚାଳନାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି।
ସୂଚନା ଅନୁସାରେ, ଏସ୍ସିବିର ଶିଶୁ ରୋଗ ବିଭାଗରେ ପୂର୍ବରୁ ଛଅଟି ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଥିଲା। ଗତ ମାର୍ଚ୍ଚ ମାସରେ ଟ୍ରମା ବିଲ୍ଡିଂରେ ଅଗ୍ନିକାଣ୍ଡ ପରେ ଏହା ପ୍ରଭାବିତ ହୋଇଥିଲା। ହେଲେ ଏହାର ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବାରେ ବିଳମ୍ବ ହେବାରୁ ଗୁରୁତର ଶିଶୁଙ୍କ ଚିକିତ୍ସା ଏବେ ଏକ ବଡ଼ ଆହ୍ୱାନ ପାଲଟିଛି। ଅତ୍ୟନ୍ତ ଜଟିଳ ଅବସ୍ଥାରେ ହସ୍ପିଟାଲକୁ ଆସୁଥିବା ଶିଶୁଙ୍କୁ ଆଇସିୟୁ ସୁବିଧା ନଥିବାରୁ ଅନ୍ୟ ହସ୍ପିଟାଲକୁ ନେବା ପାଇଁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଉଥିବା ଅଭିଯୋଗ ହେଉଛି। ଫଳରେ ଗୁରୁତର ଶିଶୁଙ୍କ ଚିକିତ୍ସାରେ ଅମୂଲ୍ୟ ସମୟ ନଷ୍ଟ ହେବାର ଆଶଙ୍କା ରହୁଛି। ବିଭାଗରେ ଛଅଟି ଶଯ୍ୟା ବିଶିଷ୍ଟ ଏଚ୍ଡିୟୁ ଥିଲେ ମଧ୍ୟ ଏହା ଆଇସିୟୁର ବିକଳ୍ପ ହୋଇପାରୁନାହିଁ। ବିଶେଷକରି ଭେଣ୍ଟିଲେଟର ଭଳି ଅତ୍ୟାବଶ୍ୟକ ଉପକରଣ ନଥିବାରୁ ଅତି ଗୁରୁତର ଶିଶୁଙ୍କୁ ସେଠାରେ ରଖିବା ନିରାପଦ ନୁହେଁ ବୋଲି ବିଭାଗର ଜଣେ ବରିଷ୍ଠ ବିଶେଷଜ୍ଞ ମତ ଦେଇଛନ୍ତି। ବିଭାଗୀୟ ସୂତ୍ର ଅନୁସାରେ, ଆଇସିୟୁ ସୁବିଧା ନଥିବାରୁ ପ୍ରତିଦିନ ୨୦ରୁ ଅଧିକ ଶିଶୁ ରୋଗୀ ଆଶୁ ଚିକିତ୍ସା କେନ୍ଦ୍ର ଓ ଆଉଟ୍ଡୋର୍ରୁ ଫେରିଯାଉଛନ୍ତି। ଏହି ସଂଖ୍ୟା ମାସକୁ ୬୦୦ରୁ ଅଧିକ ହେଉଥିବା ଜଣାପଡ଼ିଛି। କେବଳ ଆଇସିୟୁ ସମସ୍ୟା ନୁହେଁ, ଶିଶୁ ରୋଗ ବିଭାଗରେ ଶଯ୍ୟା ଅଭାବ ମଧ୍ୟ ରୋଗୀଙ୍କ ଦୁର୍ଦ୍ଦଶା ବଢ଼ାଉଛି। ନୂତନ ଆଇସିୟୁ ନିର୍ମାଣ ପାଇଁ ପୁରୁଣା ୱାର୍ଡରୁ ବେଡ୍ ହଟାଯାଇଥିବାରୁ ଶିଶୁଙ୍କୁ ଆବଶ୍ୟକ ଶଯ୍ୟା ମିଳୁନାହିଁ। ଏପରିକି କେତେକ ଶିଶୁଙ୍କୁ ୱାର୍ଡର ବାରଣ୍ଡାରେ ଚଟାଣ ଉପରେ ରଖି ଚିକିତ୍ସା କରାଯାଉଥିବା ଅଭିଯୋଗ ହୋଇଛି। ଅନ୍ୟ ବିଭାଗରେ ଶଯ୍ୟା ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଶିଶୁ ରୋଗ ବିଭାଗରେ ଏହା ହ୍ରାସ ପାଇବା ବ୍ୟବସ୍ଥାର ଦୁର୍ବଳତାକୁ ସାମ୍ନାକୁ ଆଣିଛି।
ଏକଦା ଏସ୍ସିବିର ଶିଶୁ ରୋଗ ବିଭାଗରେ ଚାରିଟି ୟୁନିଟ୍ କାର୍ଯ୍ୟ କରୁଥିଲା। ପରବର୍ତ୍ତୀ ସମୟରେ ତିନିଟି ୟୁନିଟ୍ ଶିଶୁ ଭବନକୁ ସ୍ଥାନାନ୍ତର ହେବା ପରେ ଏଠାରେ ମାତ୍ର ୫୦ଟି ଶଯ୍ୟାରେ ରୋଗୀଙ୍କ ଚିକିତ୍ସା ହେଉଥିଲା। ଏହା ସହିତ ଏସ୍ସିବିରେ ସ୍ୱତନ୍ତ୍ର ଶିଶୁ ରୋଗ ଶଲ୍ୟଚିକିତ୍ସା ବିଭାଗ ନଥିବାରୁ ଅନେକ ରୋଗୀଙ୍କୁ ଶିଶୁ ଭବନ କିମ୍ବା ଘରୋଇ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହା ରୋଗୀଙ୍କ ଅସୁବିଧା ସହ ଅଭିଭାବକଙ୍କ ଆର୍ଥିକ ବୋଝ ମଧ୍ୟ ବଢ଼ାଇପାରେ। ଏସ୍ସିବିରେ ରୋଗୀସେବାକୁ ନେଇ ବିଭିନ୍ନ ସମୟରେ ସାମ୍ନାକୁ ଆସୁଥିବା ଅଭିଯୋଗ ଏବେ ହସ୍ପିଟାଲର ପ୍ରଶାସନିକ ଦାୟିତ୍ୱ ଓ ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଉଛି। ତେବେ ଏହି ଘଟଣାଗୁଡ଼ିକର ପ୍ରକୃତ କାରଣ ଓ ଦାୟିତ୍ୱ ନିର୍ଦ୍ଧାରଣ ପାଇଁ ନିରପେକ୍ଷ ଯାଞ୍ଚ ଏବଂ ପ୍ରଶାସନିକ ପଦକ୍ଷେପ ଆବଶ୍ୟକ। ବିଶେଷକରି ଗୁରୁତର ଶିଶୁଙ୍କ ଜୀବନରକ୍ଷା ପାଇଁ ଆଇସିୟୁକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ପର୍ଯ୍ୟାପ୍ତ ଶଯ୍ୟା ଉପଲବ୍ଧ କରାଇବା ଏବଂ ଆବଶ୍ୟକ ଚିକିତ୍ସା ଉପକରଣ ସୁନିଶ୍ଚିତ କରିବା ଜରୁରୀ ହୋଇପଡ଼ିଛି। ଏ ସମ୍ପର୍କରେ ଏସ୍ସିବି ମେଡିକାଲର ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଗୁରୁତର ଶିଶୁଙ୍କୁ ଏଚ୍ଡିୟୁରେ ରଖି ଚିକିତ୍ସା କରାଯାଉଛି। ଏହି ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ। ଏବେ ପ୍ରଶ୍ନ ହେଉଛି, ରାଜ୍ୟର ଏକ ପ୍ରମୁଖ ସରକାରୀ ହସ୍ପିଟାଲରେ ଗୁରୁତର ଶିଶୁଙ୍କ ପାଇଁ ଆଇସିୟୁ ଆଠ ମାସ ଧରି ବନ୍ଦ ରହିବା ପରେ ମଧ୍ୟ ଏହାର ସମାଧାନ କାହିଁକି ହୋଇପାରିନାହିଁ? ରୋଗୀସେବାରେ ଅବ୍ୟବସ୍ଥା ସମ୍ପର୍କିତ ଅଭିଯୋଗଗୁଡ଼ିକର ସମାଧାନ ସହ ହସ୍ପିଟାଲର ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ କର୍ତ୍ତୃପକ୍ଷ କେବେ ଠୋସ୍ ପଦକ୍ଷେପ ନେବେ, ତାହାକୁ ରୋଗୀ ଓ ସାଧାରଣ ଲୋକ ଅପେକ୍ଷା କରିଛନ୍ତି।


