ଶକ୍ତି କ୍ଲବ ଶିକ୍ଷକଙ୍କ ଦକ୍ଷତା ଅଭିବୃଦ୍ଧି କର୍ମଶାଳା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ,କେନ୍ଦୁଝର ଏବଂ ସେଣ୍ଟର ଫର ଏନଭାଇରନମେଣ୍ଟାଲ ଷ୍ଟଡ଼ିଜ,ଭୁବନେଶ୍ୱରର ମିଳିତ ଉଦ୍ୟମରେ ଜିଲାର ଆନନ୍ଦପୁର,ଘଷିପୁରା,ହାଟଡିହି,ଘଟଗାଁ,ହରିଚନ୍ଦନପୁର,ବାଂଶପାଳ ବ୍ଲକର ପ୍ରାୟ ୨୫୦ ଜଣ ଶକ୍ତି କ୍ଲବର ଦାୟିତ୍ଵରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ଅଭିବୃଦ୍ଧି କର୍ମଶାଳା ବୁଧବାରରେ ଅନୁଷ୍ଠିତ ହୋଇଯାଇଛି।ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସେଣ୍ଟର ଅଫ୍ ଏନଭାଇରନମେଣ୍ଟାଲ ଷ୍ଟଡ଼ିଜ,ଭୁବନେଶ୍ୱରର ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି ସଂରକ୍ଷଣର ଆବଶ୍ୟକତା,ଉପକାରିତା ଏବଂ ଭବିଷ୍ୟତରେ ଶକ୍ତି ସଙ୍କଟକୁ କିପରି ଦୂର କରି ହେବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଶକ୍ତି ସଞ୍ଚୟ ପାଇଁ ସମସ୍ତେ ସଚେତନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାମଲ ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ପାଇଁ ଶକ୍ତି କ୍ଲବର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।ଜିଲା ବିଜ୍ଞାନ ଶିକ୍ଷା ପରିଦର୍ଶକ ପରମେଶ୍ବର ମହାନ୍ତ ୨୦୨୧ ରୁ ଜିଲାରେ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଶକ୍ତି କ୍ଲବର କାର୍ଯ୍ୟାବଳୀ ସମ୍ବନ୍ଧରେ ସୂଚନା ଦେଇଥିଲେ।ଡି.ଏନ୍. ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି ସମ୍ବଳର ଧାରଣୀୟ ବିକାଶ ଓ ସଂରକ୍ଷଣ ପାଇଁ ପଦକ୍ଷେପ ନେବା ପାଇଁ ଆହ୍ବାନ କରିଥିଲେ।ଜିଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରାଙ୍କ ସଂଯୋଜନାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା।କର୍ମଶାଳାର ପ୍ରଥମ ପର୍ଯ୍ୟାୟରେ ଶକ୍ତି କ୍ଲବ କାର୍ଯ୍ୟକ୍ରମର ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ ପୁଙ୍ଖାନୁପୁଙ୍ଖ ଭାବେ ଶକ୍ତି କ୍ଲବର ଗଠନ ପ୍ରଣାଳୀ,ବାର୍ଷିକ କାର୍ଯ୍ୟାବଳୀ,ୟୁ.ସି. ରିପୋର୍ଟ ପ୍ରଦାନ ଆଦି ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ।କର୍ମଶାଳାର ଦ୍ଵିତୀୟ ପର୍ଯ୍ୟାୟରେ ଏନ୍.ଏସ୍. ପୋଲିସ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିବେକାନନ୍ଦ ରାଉତ,ବାଉଁଶୁଳି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଆଦିତ୍ୟ ମହାପାତ୍ର, ଧବଳେଶ୍ଵର ହାଇସ୍କୁଲ, ଦେଓଝରର  ବିଜ୍ଞାନ ଶିକ୍ଷକ ସୌମ୍ୟ ପ୍ରକାଶ ସାହୁ ରିସୋର୍ସ ପର୍ସନ ଭାବେ ଶକ୍ତି କ୍ଲବର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଶେଷରେ ପୂର୍ବତନ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଫକୀର ମୋହନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ