ବାପପୁଅଙ୍କ ସାବଳମାଡରେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି ଶଶିକାନ୍ତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନରଣପଡ଼ା ଗ୍ରାମରେ ବାପ ପୁଅ ସାବଳରେ ଜଣେ ବ୍ୟବସାୟୀଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଛନ୍ତି। ସେହି ସାବଳମାଡରେ ଗୁରୁତର ଆଘାତପ୍ରାପ୍ତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ସେହି ଗ୍ରାମର ବ୍ୟବସାୟୀ ଶଶିକାନ୍ତ ଦାଶ। ଏହି ଘଟଣା ପରେ ସାରା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତ ବାପ ପୁଅଙ୍କୁ ତୁରନ୍ତ ଗିରଫ କରିବା ଓ ଗୁରୁତର ଆଘାତପ୍ରାପ୍ତ ହୋଇ ମୃତ୍ୟୁସହ ସଂଗ୍ରାମ କରୁଥିବା ଶଶିକାନ୍ତଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀମାନେ ସଦର ଥାନା ଘେରାଉ କରିଥିଲେ। ଖବରପାଇ ଘଟଣା ସ୍ଥଳରେ ଅତିରିକ୍ତ ଏସପି ସୁଧାକର ସାହୁ ଓ କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ପହଞ୍ଚି ଆନ୍ଦୋଳନରତ ଲୋକମାନଙ୍କ ସହ କଥାବାର୍ତ୍ତା କରି ବୁଝାସୁଝା କରିଥିଲେ। ଏସଡିପିଓ ଶ୍ରୀ ଗୌଡ଼ ନରଣପଡା ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି। ସଦର ଥାନା ଅଧିକାରୀ ପଦ୍ମାଳୟା ପ୍ରଧାନଙ୍କ କହିବାନୁଯାୟୀ ପୂର୍ବ ଶତ୍ରୁତାକୁ ନେଇ ନରଣପୁର ଗ୍ରାମର ପ୍ରଦୀପ କିଶୋର ଦାଶ ଓ ତାଙ୍କ ପୁଅ ନିଳାଦ୍ରୀ ଦାଶ ଶଶିକାନ୍ତଙ୍କ ପତ୍ନୀ ସଂଘମିତ୍ରାଙ୍କୁ ଗାଳିଗୁଲଜ କରି ତାଙ୍କ ଘରର ଲୁହାଗେଟକୁ ସାବଳରେ ବାଡେଇ ଭାଙ୍ଗିଦେବାକୁ ଉଦ୍ୟମ କରିଥିଲେ। ଏ ନେଇ ସଂଘମିତ୍ରା ତାଙ୍କ ସ୍ୱାମୀଙ୍କୁ ଫୋନ କରି ଜଣାଇଥିଲେ। ଚାନ୍ଦୋଳ ବଜାରରେ ତେଜରାତି ଦୋକାନ କରିଥିବା ଶଶିକାନ୍ତ ଖବର ପାଇ ସଙ୍ଗେ ସଙ୍ଗେ ଘରକୁ ଆସିଥିଲେ। ହେଲେ ପୂର୍ବରୁ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ବାପ ପ୍ରଦୀପ ଓ ପୁଅ ନିଳାଦ୍ରୀ ଶଶିକାନ୍ତଙ୍କୁ ଦେଖି ସାବଳରେ ମରଣାନ୍ତଙ୍କ ଆକ୍ରମଣ କରିଥିଲେ। ଶଶିକାନ୍ତଙ୍କ ମୁଣ୍ଡରେ ସାବଳ ପ୍ରହାର ବସିବାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସେଠାରୁ ଭୁବନେଶ୍ୱର ସ୍ତାନାନ୍ତର କରାଯାଇଥିଲା। ସେ ଏବେ ଭୁବନେଶ୍ୱରର ଏକ ଚିକିତ୍ସାଳୟର ଆଇସିୟୁରେ ରହି ମୃତ୍ୟୁ ସହିତ ସଂଗ୍ରାମ ଜାରି ରଖିଛନ୍ତି। ଏ ନେଇ ଶଶିକାନ୍ତଙ୍କ ପତ୍ନୀ ସଂଘମିତ୍ରା ସଦର ଥାନାରେ ଏତଲା ଦେଇଛନ୍ତି। ସଂଘମିତ୍ରାଙ୍କ ଏତଲାକୁ ଭିତ୍ତିକରି ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ବାପ ପୁଅଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀମତୀ ପ୍ରଧାନ କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଶଶିକାନ୍ତଙ୍କୁୁ ବାପପୁଅ ପୂର୍ବରୁ ଅନେକ ଥର ଆକ୍ରମଣ କରିଛନ୍ତି। ଉଭୟ ପ୍ରଦୀପ କିଶୋର ଓ ନିଳାଦ୍ରୀଙ୍କ ଆକ୍ରମଣ ସମ୍ପର୍କରେ ଶଶିକାନ୍ତ ୮ଥରରୁ ଉର୍ଦ୍ଧ୍ୱ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିଲା। ଫଳରେ ସେମାନେ ଏଥିରେ ଉତ୍ସାହିତ ହୋଇ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଶଶିକାନ୍ତଙ୍କ ପତ୍ନୀ ସଙ୍ଘମିତ୍ରା ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ