ଆଇଟିଡିଏ ର ନୂତନ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗଦେଲେ ଶିବଶଙ୍କର ମିଶ୍ର
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏ, କେନ୍ଦୁଝରର ନୂତନ ପ୍ରକଳ୍ପ ପ୍ରଶାସକ ଭାବରେ ଶିବଶଙ୍କର ମିଶ୍ର ବୁଧବାର ଅପରାହ୍ନରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଓଡିଶା ପ୍ରଶାସନିକ ସେବାର ଏହି ବରିଷ୍ଠ ଅଧିକାରୀ ଏହା ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ନୂତନ ପ୍ରଶାସକଙ୍କୁ କାର୍ଯ୍ୟାଳୟ ତରଫରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରବିନ୍ଦ୍ରନାଥ ନାଏକ,ସହକାରୀ ଯନ୍ତ୍ରୀ ଇଂ ସୁରେନ୍ଦ୍ର କୁମାର ଜେନା,କନିଷ୍ଠ ଯନ୍ତ୍ରୀ ଇଂ ବିନୟ କୁମାର ପଟେଲ,କୋଷାଧ୍ୟକ୍ଷ ନବକିଶୋର ମହାନ୍ତ,ପ୍ରୋଜେକ୍ଟ ମ୍ୟାନେଜର ସଚ୍ଚିଦାନନ୍ଦ ମିଶ୍ର ଓ ଅନ୍ୟାନ୍ୟ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସେ କାର୍ଯ୍ୟରେ ଯୋଗଦାନ ପରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଡକାଇଥିଲେ । କେନ୍ଦୁଝର ଆଇଟିଡିଏ ଅଧିନରେ ଥିବା ଆଦିବାସୀମାନଙ୍କର ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଣୟନ କରୁଥିବା ବିଭିନ୍ନ ଯୋଜନାଗୁଡିକ ସେ ଅଧିକ ଲୋକାଭିମୁଖୀ କରିବା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ଯୋଗଦାନ ପରେ କହିଛନ୍ତି । ଅପରାହ୍ନରେ ସେ ଜିଲ୍ଲାପାଳ ତଥା ଆଇଟିଡିଏ ର ଅଧ୍ୟକ୍ଷ ବିଶାଲ ସିଂଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପ୍ରକାଶ ଥାଉ କି, କେନ୍ଦୁଝର ପିଏ ଆଇଟିଡିଏ ପୁନମ ରାଉତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡେପୁଟି ସେକ୍ରେଟାରୀ ଭାବେ ବଦଳି ଆଦେଶ ପରେ ଶ୍ରୀ ଯୁକ୍ତ ମିଶ୍ରଙ୍କୁ କେନ୍ଦୁଝର ପିଏ ଆଇଟିଡିଏ ଭାବେ ବଦଳି ହୋଇଥିଲେ ।


