ବୁଦ୍ଧଖୋଲରେ ‘ସାମାଜିକ ଗଣମାଧ୍ୟମ ସଂସ୍କାର ବୈଠକ’
ବୁଗୁଡ଼ା (ଅନୀଲ କୁମାର ମହାରଣା): ବୁଗୁଡ଼ା ନିକଟସ୍ଥ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲରେ “ସାମାଜିକ ଗଣମାଧ୍ୟମ ସଂସ୍କାର ବୈଠକ” ଅନୁଷ୍ଠିତ ହୋଇଯାଇଛି । ବୁଗୁଡ଼ାର ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ତଥା ସଂସ୍କାର ଭାରତୀ ଉତ୍କଳ ପୁର୍ବ ପ୍ରାନ୍ତର ଦୃଶ୍ୟକଳା ସଂଯୋଜକ ଡକ୍ଟର ସ୍ଥିତଧୀ ରଥଙ୍କ ଆବାହନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସଂଯୋଜନା ଦାଇତ୍ୱ, ସାମାଜିକ ଗଣମାଧ୍ୟମର ଉପଦେଷ୍ଠା ଜିତେନ୍ଦ୍ର କୁମାର ସାହୁ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମର ଅନ୍ତର୍ଜାତୀୟ ଯାଦୁଗର ଶ୍ରୀ ଯାଦୁଗର କୁମାର ଯୋଗ ଦେଇଥିଲେ । ଫେସବୁକ, ୟୁ ଟ୍ୟୁବ, ଟେଲିଗ୍ରାମ୍ ଓ ଇନଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମରେ କାର୍ଯ୍ୟ କରି ଅର୍ଥ ରୋଜଗାର କରୁଥିବା କର୍ମୀମାନଙ୍କ କାର୍ଯ୍ୟାବଳୀରେ ସଂସ୍କାର ଆଣିବା ଏହି ବୈଠକର ମୁଖ୍ୟ ଉଦେଶ୍ୟ ରହିଥିଲା । ଆଜି କାଲି ଅର୍ଥ ଲାଳସାରେ ଅନେକ କୁସଂସ୍କାର ବିଷୟକୁ ସାମାଜିକ ଗଣ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଅଛି । ଏହା ଦ୍ୱାରା ଆମର ଅଞ୍ଚଳର ଗୌରବ ବିଶ୍ୱ ଦରବାରରେ ନିନ୍ଦିତ ହେଉଛି । ତେଣୁ ଡକ୍ଟର ରଥଙ୍କ ଅନୁରୋଧ କ୍ରମେ ଉପସ୍ଥିତ ସମସ୍ତ ସାମାଜିକ ଗଣମାଧ୍ୟମର ତାରକାମାନେ ଆଗାମୀ ସମୟରେ ଆଞ୍ଚଳିକ ଗୌରବକୁ ବିଶ୍ଵବ୍ୟାପି କରିବାରେ ପ୍ରମୁଖ ଭୂମିକା ନେବାକୁ ଶପଥପାଠ କରିଥିଲେ । ସାମାଜିକ ଗଣମାଧ୍ୟମର ଉପଦେଷ୍ଠା ଶ୍ରୀ ସାହୁ ନିଜର ଉପସ୍ଥାପନା ମାଧ୍ୟମରେ ସାମାଜିକ ଗଣମାଧ୍ୟମରୁ ଅର୍ଥ ରୋଜଗାରର କଳା କୌଶଳ ପ୍ରଦାନ କରିଥିଲେ । ଏଥିରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଖୁସୀ ପ୍ରଧାନଙ୍କ ସହିତ ବିଭିନ୍ନ ସ୍ଥାନରୁ ମନୋଜ ଘଡେଇ, ସନ୍ଦୀପ ସାହୁ, ସନ୍ତୋଷ ଘଡେ଼ଇ, ଶଙ୍କର ସାହୁ, ଗଞ୍ଜାମ ଟୋକା ରାମ, ଡିସି ରାଇଡର, ନିଶି ପ୍ରଧାନ, ବିଦ୍ୟାଧର ସାହୁ, ସୁରଥ ପ୍ରଧାନ, ଜଗନ୍ନାଥ ପ୍ରଧାନ ଓ ଅବନି ଦାସ ପ୍ରମୁଖ ୩୪ ଜଣ ତାରକା ଯୋଗ ଦେଇ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶେଷରେ ସାମ୍ବାଦିକ ରୋହିତ ପ୍ରଧାନ ଉପସ୍ଥିତ ବ୍ୟକ୍ତିତ୍ବ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।