ଦଶମ ଶ୍ରେଣୀ ପାଠ ଛାଡି ଅସହାୟ ବାପାଙ୍କ ସେବାରେ ପୁଅ: ଆଧାରକାର୍ଡ ମିଳି ନଥିବା ଯୋଗୁଁ ବଢ଼ି ଚାଲିଛି ଦୁଃଖ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି. 75 % ଭିନ୍ନକ୍ଷମ ଥିବା ଅସହାୟ ବାପାଙ୍କ  ସେବା ପାଇଁ ଦଶମ ଶ୍ରେଣୀ ପାଠ ଛାଡି ସାହା ହୋଇଛି ଏକମାତ୍ର ପୁଅ. ହେଲେ ଆଧାରକାର୍ଡ ହୋଇପାରିନଥିବା ଯୋଗୁଁ ଆବଶ୍ୟକୀୟ ସରକାରୀ ସୁବିଧା ସୁଯୋଗ ନପାଇ ଏମାନେ ବହୁ ଦୁଃଖ କଷ୍ଟ ପାଉଥିବା ଅଭିଯୋଗ ହୋଇଛି. ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକର ଛେଲାଗଡ଼ ଗ୍ରାମର ଖ୍ରୀଷ୍ଟିଆନ ସାହିରେ. ଏହି ସାହିରେ ବାସ କରୁଥିବା ଇଶାକ ଲିମ୍ମା. ସେ ଗତ 17 ବର୍ଷ ଧରି 75% ଭିନ୍ନକ୍ଷମ ହୋଇ ଅତ୍ୟନ୍ତ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି. ତାଙ୍କର ଏକମାତ୍ର ପୁଅ ଦଶମ ଶ୍ରେଣୀ ପାଠ ଛାଡି ବାପାଙ୍କ ସେବାରେ ନିଜକୁ ଉତ୍ସଗ କରିଛି. ଏମାନଙ୍କ ଏକ ପୁରାତନ ଘର ରହିଛି. ଏହି ଘରେ ସରକାରଙ୍କ ଠାରୁ ମିଳୁଥିବା ସାହାର୍ଯ୍ୟ ମାତ୍ର କିଛି ଟଙ୍କା ଆଉ ଚାଉଳରେ ଏହି ଦୁଇ ପ୍ରାଣୀ ଅତ୍ୟନ୍ତ ଦୁଃଖ କଷ୍ଟରେ ଜୀବନ ବିତଉଛନ୍ତି. ଏମାନଙ୍କ ଆଧାରକାର୍ଡ ହୋଇପାରୁନଥିବା ଯୋଗୁଁ 75% ଭାଗ ଭିନ୍ନକ୍ଷମ ଥାଇ ସୁଦ୍ଧା ଆବଶ୍ୟକ ସରକାରୀ ସୁବିଧା ସୁଯୋଗ ଏବଂ ଆବଶ୍ୟକ ଚିକିତ୍ସା ସୁବିଧା ଆଦି ପାଇପାରୁନାହାନ୍ତି. ଗ୍ରାମବାସୀମାନେ ଏହି ଅସହାୟ ଦୁଇ ପ୍ରାଣୀଙ୍କୁ ଅନେକ ଥର ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ତଥାପି ଏମାନଙ୍କ ଦୁଃଖ କଷ୍ଟ ଦୂର ହୋଇପାରୁନାହିଁ. ଏଭଳି ଅସହାୟଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଓ ଚିକିତ୍ସା ସୁବିଧା ପାଇଁ ପ୍ରଶାସନ ଓ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ସହ ଅତି ତୁରନ୍ତ ଆଧାରକାର୍ଡ଼ ଦେବା ପାଇଁ ପଦକ୍ଷେପ ନିଆ ଯାଉ ବୋଲି ଗ୍ରାମବାସୀମାନେ ଦାବି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ