ଶ୍ରୀରାମ ନବମୀ ମହାସମାରୋହରେ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ମହାବୀର ଆଶ୍ରମ ହନୁମାନ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଶୁଭ ଜନ୍ମ ମହୋତ୍ସବ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ ଓ ଅପରାହ୍ନରେ ଶ୍ରୀରାମଚରିତ ମାନସ ପାରାୟଣ, ତୁଳସୀ ରାମାୟଣ ପାରାୟଣ ଓ ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଏବଂ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମ କଥାମୃତ୍ତପ୍ରବଚନ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପହଞ୍ଚି ହନୁମାନଜୀଉ ଓ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କୁ ଦର୍ଶନ କରିବା ସହିତ ଆଶ୍ରିର୍ବାଦ ଭିକ୍ଷା କରିଥିଲେ। ସେହି ଅନୁଯାୟୀ ପ୍ରଭୁ ଶ୍ରୀରାମଙ୍କ କଥାମୃତ ଉପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ବୋଲି ଆଶ୍ରମ ପକ୍ଷରୁ ମନ୍ଦିର ପରିଚାଳନା କମିଟି ସଭାପତି ବାବାଜୀ ଚେତନାନନ୍ଦ ଦାସ ସୂଚନା ଦେଇଛନ୍ତି। ଶୁକ୍ରବାର ପ୍ରାତଃରୁ ପୂଜାର୍ଚ୍ଚନା କରାଯିବା ସହ ନାମ ସଙ୍କୀର୍ତ୍ତନ, ଭଜନ ଓ କୀର୍ତ୍ତନ ମଧ୍ୟ କରାଯାଉଛି। ଏହି ଅବସରରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମହାବୀର ଆଶ୍ରମରେ ପହଞ୍ଚି ଶ୍ରୀରାମଙ୍କ ଭକ୍ତ ହନୁମାନଜୀଉ ଓ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ।


