ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରି ସାମଗ୍ରୀ ଉଦ୍ଧାର, ୨ ଅଭିଯୁକ୍ତ ଗିରଫ
ନାଉଗାଁ ,(ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଜାମୁଗାଁ ପଞ୍ଚାୟତର ଧମିଲାପାରୀ ଗ୍ରାମସ୍ଥିତ ଜାମୁଗାଁ ଅଙ୍ଗନୱାଡ଼ି-୩ କେନ୍ଦ୍ରରୁ ଚୋରି ହୋଇଥିବା ଗ୍ୟାସ୍ ସିଲିଣ୍ଡର ଓ ମଟର ପମ୍ପକୁ ପୋଲିସ ଉଦ୍ଧାର କରିଛି । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଛି। ଶନିବାର ନାଉଗାଁ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଦିବ୍ୟରଞ୍ଜନ ନାଥ ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଜାମୁଗାଁ ଗ୍ରାମର ମିଥୁନ କୁମାର ଦାସ (ଜାକୁଆ) ଓ ନିରଞ୍ଜନ ଭୋଇ (ମୁନା)। ପୋଲିସ ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୨ ତାରିଖ ବିଳମ୍ବିତ ରାତିରେ ଧମିଲାପାରୀ ଗ୍ରାମସ୍ଥିତ ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରରୁ ଏକ ଗ୍ୟାସ୍ ସିଲିଣ୍ଡର ଓ ମଟର ପମ୍ପ ଚୋରି ହୋଇଥିଲା। ଏନେଇ କେନ୍ଦ୍ରର କର୍ମୀ ସୂଚିସ୍ମିତା ମହାପାତ୍ର ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ୨୪୮/୨୬ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଥାନାଧିକାରୀ ଦେବାଶିଷ ପଣ୍ଡାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ତଦନ୍ତ ଚଳାଇଥିଲା। ଏକ ସୁରାକ ମିଳିବା ପରେ ସନ୍ଦେହରେ ଦୁଇ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ତଦନ୍ତ ସମୟରେ ସେମାନେ ଚୋରି ଘଟଣାରେ ସମ୍ପୃକ୍ତି ସ୍ୱୀକାର କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ଗ୍ୟାସ୍ ସିଲିଣ୍ଡର ଓ ମଟର ପମ୍ପ ଜବତ କରାଯାଇଛି। ଉଭୟ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ରହିଥିବା ଏସ୍ଡିପିଓ ଶ୍ରୀ ନାଥ ସୂଚନା ଦେଇଛନ୍ତି । ଅନ୍ୟ କେଉଁ ଘଟଣାରେ ସେମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଉଦ୍ଧାର ସାମଗ୍ରୀକୁ ଅଙ୍ଗନୱାଡ଼ି କର୍ମୀ ଚିହ୍ନଟ କରିଥିବାରୁ ଆଇନଗତ ପ୍ରକ୍ରିୟା ପରେ ତାଙ୍କୁ ଫେରସ୍ତ କରାଯିବ ବୋଲି ଏସ୍ଡିପିଓ କହିଛନ୍ତି ।


