ଛାତ୍ର ସଂସଦ ନିର୍ବାଚନ: କାହିଁକି ପ୍ରାର୍ଥୀ ହୋଇଛି, ମିଟିଂରେ ରଖିଲେ ମତ
ହାଟଡିହି, (ଓ୍ବାଇଏନଏସ): ଛାତ୍ର ସଂସଦ ନିର୍ବାଚନକୁ ନେଇ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ରାଜନୈତିକ ଉତ୍ସାହ ବଢ଼ୁଥିବା ବେଳେ ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ପ୍ରଚାର ଜୋରଦାର କରିଛନ୍ତି। ଏହି ଅବସରରେ କଲେଜ ପରିସରରେ ମୁଁ କାହିଁକି ପାର୍ଥୀ ହେଲି ସଭାରେ ପ୍ରାର୍ଥୀମାନେ ଛାତ୍ର ସଂସଦ ନିର୍ବାଚନରେ କାହିଁକି ପ୍ରାର୍ଥୀ ହୋଇଛନ୍ତି ସେ ସମ୍ପର୍କରେ ନିଜ ନିଜର ମତ ରଖିଛନ୍ତି। ହାଟଡିହି କଲେଜର ଅଧ୍ୟକ୍ଷ ହରେକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଉପଯୁକ୍ତ ମଞ୍ଚରେ ଉଠାଇବା, ସେମାନଙ୍କ ନ୍ୟାଯ୍ୟ ଦାବିକୁ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇବା ଏବଂ ମହାବିଦ୍ୟାଳୟର ଶୈକ୍ଷିକ ଓ ସାମଗ୍ରିକ ବିକାଶରେ ସହଯୋଗ କରିବା ତାଙ୍କ ପ୍ରାର୍ଥୀ ହେବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପାର୍ଥୀ ମାନେ କହିଛନ୍ତି। ଛାତ୍ର ସଂସଦ କେବଳ ଏକ ପଦପଦବୀ ହାସଲ କରିବାର ମାଧ୍ୟମ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ସ୍ୱର ହୋଇ ସେମାନଙ୍କ ସ୍ୱାର୍ଥ ପାଇଁ କାମ କରିବାର ଏକ ଗଣତାନ୍ତ୍ରିକ ମଞ୍ଚ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟରେ ଉତ୍ତମ ଶିକ୍ଷା ପରିବେଶ, ଶୃଙ୍ଖଳା, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବିକାଶ ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦେବାକୁ ସବୁ ପାର୍ଥୀ ଆହ୍ୱାନ ଦେଇଛନ୍ତି। ନିର୍ବାଚନରେ ବିଜୟୀ ହେଲେ ସମସ୍ତଙ୍କ ମତାମତକୁ ଗୁରୁତ୍ୱ ଦେଇ ମହାବିଦ୍ୟାଳୟର ଉନ୍ନତି ପାଇଁ କାମ କରିବା ସହ ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷା ପୂରଣ ଦିଗରେ ଉଦ୍ୟମ କରିବେ ବୋଲି କହିଛନ୍ତି।


