ପେଟ ପାଟଣା ଆଗରେ ହାର ମାନିଛି ତାତି
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ଯେତେବେଳେ ପେଟ ଭୋକ, ମଣିଷ କୁ କନ୍ଦାଏ । ଅଭାବ ସାରା ଦିନ ଆଉଟୁ ପାଉଟୁ କରେ ସେତେବେଳେ ଜୀବନକୁ କୌଣସି ସ୍ତରକୁ ନେବାକୁ ପ୍ରସ୍ତୁତ ଥାଏ ମଣିଷ। କମାର ଶାଳର ନିଆଁ ସହିତ ଖେଳୁଥିବା ଏମାନେ ଜଣେ ଜଣେ ସୁଦକ୍ଷ କାରିଗର। ନିଆଁର ଝାସକୁ ସହିଯାଇ ଦେହର ଝାଳକୁ ନିଜ ପିନ୍ଧାବସ୍ତ୍ରରେ ପୋଛି ଏମାନେ ଜଣେ କାରିଗର। ଏମାନେ ପ୍ରତିଦିନ ଗରମ ଲୁହାକୁ ଭିନ୍ନ ଏକ ରୂପ ଦିଅନ୍ତି। ଏଠି ହାତୁଡି ରେ ପାହାର ପଡିଲେ ସେଠି ଘରେ ଚୁଲି ଜଳେ। ଏଠି ନିଆଁ ସହ ସମୟ ବିତାଇଲେ ସେଠି ପରିବାର ଚଳେ। ପ୍ରଚଣ୍ଡ ଖରା, ଶୂନଶାନ ରାସ୍ତାଘାଟ ଭିତରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ସାପ୍ତାହିକ ହାଟ ମଧ୍ୟରେ କମାର ଶାଳ। ଯେଉଁଠି ବାହାର ଗରମକୁ ଖାତିରି ନ କରି ପରିବାର ପାଈଁ ପାହାର ପଡୁଥିଲା ଲୁହା ଉପରେ। ନିଜର ବର୍ଷ ବର୍ଷର ବୃତ୍ତି ଆଗରେ ସବୁ କଷ୍ଟକୁ ସ୍ୱୀକାର କରିଛନ୍ତି କମାର। ଜ୍ୱଳନ୍ତ ଅଙ୍ଗାର ନିଆଁରେ ଗରମ ଲୁହାକୁ ହାତୁଡିରେ ପିଟି ତିଆରି କରୁଛନ୍ତି କୋଦାଳ, ଦାଆ, କୋଡ଼ି ସହ ଅନ୍ୟାନ୍ୟ ଲୁହା ସାମଗ୍ରୀ। କାରଣ ଗ୍ରାହକଙ୍କୁ ଜବାବ ଦେଇଛନ୍ତି ଠିକ ସମୟରେ ଜିନିଷ ଦେବେ। ପୂର୍ବ ପୁରୁଷ ରୁ ପରମ୍ପରା କ୍ରମେ କମାର ଶାଳ ବୃତ୍ତି କରି ଆସୁଛନ୍ତି ଅସ୍ତରଙ୍ଗ ଅଞ୍ଚଳର ଅନେକ କାରିଗର ବୋଲି ବିଜୟ ଓଝା କହିଛନ୍ତି । ଏମାନେ କୁହନ୍ତି ବୃତ୍ତି ଆମ ପୋଷେ କୁଟୁମ୍ବ। ଚଳିତ ବର୍ଷ ରୋଦ୍ରତାପ କମାର ଶାଳର କଷ୍ଟକୁ ଦ୍ବିଗୁଣିତ କରିଛି। ସରକାରୀ ସ୍ତରରେ ସହାୟତା ମିଳିଲେ କମାର ଶାଳରେ ଜୀବିକା ନିର୍ବାହ କରୁଥିବା କାରିଗରଙ୍କ କଷ୍ଟ କିଛି ମାତ୍ରାରେ ଲାଘବ ହୁଅନ୍ତା।


