ବିଭିନ୍ନ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ଶିକ୍ଷକ ସମାଜ
ବେତନଟୀ ( ଉଦିତ କୁମାର ପରିଡା) : ବେତନଟୀ ବ୍ଲକ ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଆହ୍ୱାନ କ୍ରମେ ବୈଶିଙ୍ଗା ବାଳିକା ଉଚ୍ଚବିଦ୍ୟାଳୟରେ ସମନ୍ୱୟ ସମିତିର ଏକ ବୈଠକ ବରିଷ୍ଠ ଶିକ୍ଷକ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଓଷ୍ଟା ଜିଲ୍ଲା ସଂପାଦକ କିଶୋର କୁମାର ଆଚାର୍ଯ୍ୟ ଯୋଗଦାନ କରି ସରକାରଙ୍କ ଶିକ୍ଷକ ମାରଣ ନୀତିକୁ ସମାଲୋଚନା କରିଥିଲେ। ଦୀର୍ଘ ବର୍ଷ ଧରି ବିନା ଦରମାରେ ଚାକିରୀ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ମାନଙ୍କୁ ତୁରନ୍ତ ଅନୁଦାନ ପ୍ରଦାନ, ବିନା ପେନସନରେ ଅବସର ଗ୍ରହଣ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କୁ ପେନସନ ପ୍ରଦାନ, ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ୬ ବର୍ଷକୁ ଚାକିରି କାଳରେ ଯୋଗ ଆଦି ବିଭିନ୍ନ ଦାବୀରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ସଂପାଦକ ସୁର୍ଯ୍ୟାନନ୍ଦ ନାୟକ, ସହ ସଂପାଦକ ଧିରେନ୍ଦ୍ର ପ୍ରଧାନ, ନରହରି ମହାନ୍ତ, ସୁଶାନ୍ତ କୁମାର ପଣ୍ଡା, ଅନିଲ କୁମାର ମହାନ୍ତ, ବିଶ୍ୱ ରଞ୍ଜନ ଦୁର୍ଗା, ଅଶୋକ କୁମାର ବାରିକ, ଶାନ୍ତନୁ କୁମାର ଜେନା, ପ୍ରଦ୍ୟୁମ୍ନ କୁମାର ଭୂୟାଁ, ଗୋପାଲ କୃଷ୍ଣ ପ୍ରଧାନ, ଭବାନୀ ଶଙ୍କର ବାଗ, କାଞ୍ଚନବାଳା କର, ନନ୍ଦିତା ମହାନ୍ତି ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ମାନେ ଯୋଗଦାନ କରି ରାଜ୍ୟ ସଂଗଠନର ନିର୍ଦ୍ଦେଶ କ୍ରମେ ଆସନ୍ତା ଅଗଷ୍ଟ ମାସ ୨ ତାରିଖ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ , ଅଗଷ୍ଟ ୮ ତାରିଖ ଜିଲ୍ଲାପାଳ ଧାରଣା, ଅଗଷ୍ଟ ୧୬ ତାରିଖ ଭୁବନେଶ୍ୱରେ ପ୍ରତିବାଦ ସଭା ଓ ଦାବିପତ୍ର ପ୍ରଦାନକୁ ସଫଳ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରିଥିଲେ। ସର୍ବଶେଷରେ ଶିକ୍ଷକ ଟିକାୟତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।